ପାଣି ନାହିଁ ତ ଭୋଟ୍ ନାହିଁ : ନେତାଙ୍କୁ ପାନେ ଚଖେଇବାକୁ ପଣ କଲେ ଲୋକେ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ)/ଉଦଳା(ମାନସ ପାଣି) : ପାଣି ନାହିଁ ତ ଭୋଟ୍ ନାହିଁ। ଏଥର ନିର୍ବାଚନରେ ଏମିତି ପଣ କରିଛନ୍ତି ଢେଙ୍କାନାଳ କୁଶୁପଦା ଓ ଉଦଳା ଝରଣାସାହି ଗାଁ ଲୋକେ। ନକରିବେ ବା କାହିଁକି। ଭୋଟ୍ ବେଳ ଆସିଗଲେ ସ୍ୱଚ୍ଛ ପିଇବା ପାଣି ମୁନ୍ଦେ ଯୋଗାଇବାକୁ କହି ନେତା କେତେ ଭେଳିକି ଦେଖାନ୍ତି, ହେଲେ ଭୋଟ୍ ସରିଗଲେ ପ୍ରତିଶ୍ରୁତି ସହ ଉଭାନ୍ ହୋଇଯାନ୍ତି। କେମିତି ପାଣି ଟୋପେ ପାଇଁ ଡହ ଡହ ଖରାରେ ଦହଗଞ୍ଜ ହେଉଛନ୍ତି ଲୋକେ, ଆସନ୍ତୁ ଜାଣିବା ଭୋଟରଙ୍କ ମୁଦ୍ଦାରେ ଢେଙ୍କାନାଳ ଓ ଉଦଳାରୁ ଏହି ରିପୋର୍ଟ।

ଶୋଷ ମେଣ୍ଟେଇବାକୁ ଏଠି ଚାଲିଛି ସଂଘର୍ଷ। ନାଳ ପାଖରେ ଚୁଆ ଖୋଳି ସଂଗ୍ରହ ହେଉଛି ପିଇବା ପାଣି। ଡହ ଡହ ଖରାରେ ଦିନକୁ ୨ଥର ଏମିତି ମୁଣ୍ଡରେ ନହେଲେ ଭାରା କରି ପାଣି ବୋହିବାକୁ ପଡୁଛି ଢେଙ୍କାନାଳ ଜିଲ୍ଲା କୁଶୁପଦା ଗାଁ ଲୋକଙ୍କୁ।

ପାଣିର ଅବସ୍ଥା ବି ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର ବୁଝିବାକୁ ବାକି ନାହିଁ। ହେଲେ ଉପାୟ ବା କଣ। ସମସ୍ୟା ସେଇଠି ଅଟକିନି। ଗାଁକୁ ପହଞ୍ଚିବାର ମୁଖ୍ୟ ରାସ୍ତାର ଅବସ୍ଥା ଅତି ଦୟନୀୟ। ଏଇବାଟେ ଗାଁ ଲୋକେ, ସ୍କୁଲ ପିଲା ଯା’ଆସ କରନ୍ତି। ଖରାଦିନେ ସିନା ନାଳରେ ପାଣି କମ୍, ହେଲେ ବର୍ଷାଦିନେ ଅବସ୍ଥା ସାଂଘାତିକ।

ଗାଁରେ କେବଳ ଅଙ୍ଗନବାଡି କେନ୍ଦ୍ରଟିଏ ଅଛି, ହେଲେ ମେଡିକାଲ କି ପାନୀୟ ଜଳ ଭଳି ମୌଳିକ ସମସ୍ୟା ଯେମିତି ଏଠି ସାତ ସପନ। ଗାଁଟି କୌଣସି ଉପାନ୍ତ ଅଞ୍ଚଳରେ ନାହିଁ, ବରଂ ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୭ କିଲୋମିଟର ଦୂରରେ। ସମସ୍ୟାର ସମାଧାନ ପାଇଁ ଭୋଟ୍ ବେଳ ଆସିଲେ ସମସ୍ତେ ପ୍ରତିଶ୍ରୁତି ଦିଅନ୍ତି, ହେଲେ ଭୋଟ୍ ସରିଗଲେ ସବୁ ପାଶୋରି ଯାଆନ୍ତି। ଗାଁର ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା, ହେଲେ କେହି ମୁହଁ ଖୋଲିନଥିଲେ।

ଏମିତି ଆଉ ଏକ ଅଞ୍ଚଳ । ଉଦଳା ବ୍ଲକ୍‌ ଝରଣାସାହି ଗାଁ। ପାଣି ସମସ୍ୟା ଅତି ଉତ୍କଟ ଏଠାରେ। କୂଅ ଶୁଖିଲା ଓ ନଳକୂଅ ଅଚଳ। ସକାଳେ ଓ ଅପରାହ୍ନରେ, ଗାଁଠୁ ୪ କିଲୋମିଟର ଦୂର ଏକ ଅସ୍ଥାୟୀ ଚୁଆ ପାଖରେ ଲାଗିଯାଏ ଗହଳି। ଦିନକୁ ୨ଥର ମହିଳାମାନଙ୍କୁ ଧାଡ଼ି ଧାଡ଼ି ହୋଇ ଅତି ଦୟନୀୟ ଅବସ୍ଥାରେ ପାଣି ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳେ।

ଆଦିବାସୀ ବହୁଳ ଏ ଗାଁର ୭୦ ପରିବାରଙ୍କ ପାଇଁ ସତେ ଯେମିତି ମୌଳିକ ସମସ୍ୟା ସାମାଧାନ ସାତ ସପନ ପାଲଟିଛି। ଉଦଳା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ବି ଏ ସମସ୍ୟା ସ୍ୱୀକାର କରିଛନ୍ତି। କହିଛି ଶୀଘ୍ର ସମାଧାନ ହୋଇଯିବ।

You might also like