‘ଓଡ଼ିଶାରେ ଏ ଯାଏ ମିଳିନାହିଁ ବ୍ରିଟେନ‌ ଷ୍ଟ୍ରେନ୍‌’

ଭୁବନେଶ୍ୱର: ଓଡ଼ିଶାରେ ଏ ଯାଏ ବ୍ରିଟେନ‌ ଷ୍ଟ୍ରେନ୍‌ ମିଳିନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରିଟେନ ଫେରନ୍ତାଙ୍କ ନମୁନା ପରୀକ୍ଷା କରାଯାଇଥିଲେ ବି ଏଥିରୁ ବ୍ରିଟେନ ଷ୍ଟ୍ରେନ୍ ମିଳିନାହିଁ।

ଏଯାଏ ଯେତିକି ସାମ୍ପଲ ଟେଷ୍ଟ ହୋଇଛି, ସେଥିରୁ ବ୍ରିଟେନ ଷ୍ଟ୍ରେନ୍‌ ମିଳିନି ବୋଲି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଏ ପର୍ଯ୍ୟନ୍ତ ବ୍ରିଟେନରୁ ଫେରିଥିବା ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ମୋଟ ୭ ଜଣଙ୍କ କରୋନା ପଜିଟିଭ ମିଳିଛି। ହେଲେ କାହାଠାରେ ବ୍ରିଟେନ ଷ୍ଟ୍ରେନ୍‌ ନାହିଁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ଅଞ୍ଚଳକୁ ୬୨ଜଣ ବ୍ରିଟେନରୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଅଛନ୍ତି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। କରୋନା ଚିହ୍ନଟ ହୋଇଥିବା ୩ ଜଣଙ୍କ ସାମ୍ପଲ ପୁନେକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ସେମାନେ କରୋନାର ନୂଆ ଷ୍ଟ୍ରେନ୍‌ ଦ୍ୱାରା ଦ୍ୱାରା ଆକ୍ରାନ୍ତ କି ନାହିଁ ଜଣାପଡ଼ିବ। ଅନ୍ୟପକ୍ଷରେ ବ୍ରିଟେନରୁ ଫେରିଥିବା ୬୨ଜଣଙ୍କ ମଧ୍ୟରୁ ଆଉ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି। ଆଉ ଦୁଇ ଜଣଙ୍କୁ ଟ୍ରେସିଂ ପାଇଁ ଚେଷ୍ଟା ଚାଲିଛି ବୋଲି ବିଏମ୍‌ସି କମିଶନର କହିଛନ୍ତି।

ଅନ୍ୟପକ୍ଷରେ, ଭାରତରେ ଆଉ ୫ ଜଣଙ୍କଠାରେ କରୋନାର ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ଏହା ପୂର୍ବରୁ ୨୦ ଜଣଙ୍କ ଠାରେ ବ୍ରିଟେନରେ ଦେଖାଦେଇଥିବା କରୋନାର ମ୍ୟୁଟାଣ୍ଟ୍‌ ଷ୍ଟ୍ରେନ ଚିହ୍ନଟ ହୋଇଥିଲା। ଦୁଇ ଦିନ ପୂର୍ବେ ଭାରତରେ ଏହାର ଷ୍ଟ୍ରେନ ଦେଖା ଦେଇଥିଲା। ପୂର୍ବରୁ ବ୍ୟାପୁଥିବା କୋଭିଡ୍-୧୯ ଭୂତାଣୁ ଠାରୁ ୭୦ ପ୍ରତିଶତ ଅଧିକ ସଂକ୍ରାମକ ଥିବା ଏହି ମ୍ୟୁଟାଣ୍ଟ୍‌ ବ୍ରିଟେନ ଫେରନ୍ତାଙ୍କ ଦ୍ୱାରା ଭାରତରେ ପହଞ୍ଚିଛି। ଦେଶରେ ପ୍ରଥମେ ୬ ଜଣଙ୍କଠାରେ ଏହି ମ୍ୟୁଟାଣ୍ଟ୍‌ ଭାଇରସ୍‌ ଦେଖା ଦେଇଥିଲା।

ଡିସେମ୍ବର ୨୩ ଭିତରେ ବ୍ରିଟେନରୁ ଫେରିଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷାରୁ ଷ୍ଟ୍ରେନ୍‌ ଥିବା ଜଣାପଡ଼ିଥିଲା। ଏହାପରେ ଜାନୁଆରୀ ୭ ଯାଏ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ରଖାଯାଇଛି। ନୂଆ ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ବି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବା ସହ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ସେପଟେ ସିନୋଫାର୍ମ ଭ୍ୟାକସିନକୁ ସର୍ତ୍ତମୂଳକ ବ୍ୟବହାର ଲାଗି ଚୀନ୍ ସରକାର ଅନୁମତି ପ୍ରଦାନ କରିଛନ୍ତି। ଦେଶର ପ୍ରଥମ ଟିକା ଭାବେ ବ୍ୟବହାର ଲାଗି ଅନୁମତି ଦିଆଯାଇଛି।

You might also like