କରୋନା‌ ଟେଷ୍ଟ୍‌ କଲେନି ବୋଲି ମିଳିଲାନି ରାସନ୍‌ !

ଭଞ୍ଜନଗର: ଆଗ କୋଭିଡ୍ ଟେଷ୍ଟ, ତା’ ପରେ ରାସନ୍ ! ବିନା କରୋନା ଟେଷ୍ଟରେ ଲୋକଙ୍କୁ ରାସନ୍ ନମିଳିବା ନେଇ କୁହାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ଶାସନ ପଞ୍ଚାୟତରୁ।

ସ୍ଥାନୀୟ ଗୋପାଳପୁର ଶାସନ ପଞ୍ଚାୟତରେ ରହିଛି ୧୮ଟି ୱାର୍ଡ। ୧୫ଟି ୱାର୍ଡର ଲୋକଙ୍କୁ ରାସନ ସାମଗ୍ରୀ ମିଳି ସାରିଥିବା ବେଳେ ଗତକାଲି ସୋରିସବିଲି, ଲଷ୍ମୀପୁର, ଭି.କୋଟିବାଡି ୩ଟି ଗାଁର ହିତାଧିକାରୀ ରାସନ ନେବାକୁ ପଞ୍ଚାୟତ କାର୍ଯ୍ୟାଳୟ ଯାଇଥିଲେ। ହେଲେ, କୋଭିଡ୍‌ ଟେଷ୍ଟ ନ କରାଇଲେ, ରାସନ୍‌ ମିଳିବ ନାହିଁ ବୋଲି ସେମାନଙ୍କୁ କୁହାଯାଇଥିବା ହିତାଧିକାରୀ ଅଭିଯୋଗ ଆଣିଛନ୍ତି।

ଶେଷରେ ପାଖାପାଖି ୧୦ଜଣ ହିତାଧିକାରୀ କରୋନା ଟେଷ୍ଟ କରାଇ ଚାଉଳ ନେଇଥିବାବେଳେ ଅନ୍ୟମାନେ ନିରାଶ ହୋଇ ଫେରି ଯାଇଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ପଞ୍ଚାୟତ ଅଫିସର କହିଛନ୍ତି, ‘ଏହା ବାଧ୍ୟତାମୂଳକ ନୁହେଁ ଯେ, କରୋନା ଟେଷ୍ଟ୍‌ କରାଇଲେ ଚାଉଳ ମିଳିବ। ସ୍ୱଇଚ୍ଛାରେ ଯେଉଁମାନେ ଆସି କରୋନା ଟେଷ୍ଟ୍‌ କରିବାକୁ ଚାହୁଁଛନ୍ତି, ସେମାନେ ଟେଷ୍ଟ୍‌ କରାଇପାରିବେ।’

You might also like