ଜଗା ଦର୍ଶନ ପାଇଁ କଟକଣା ହେଲା କୋହଳ

ପୁରୀ: ଆଗାମୀ ୨୧ତାରିଖରେ କୋଭିଡ ରିପୋର୍ଟ ବିହୀନ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଷ୍ପତ୍ତି ଅନୁସାରେ SOPକୁ କୋହଳ କରାଯାଇ ଦର୍ଶନ ବ୍ୟବସ୍ଥା ନେଇ କରାଯାଇଥିବା ବ୍ୟବସ୍ଥା ମୁତାବକ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ।

ଏଥିସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ଦର୍ଶନର ବ୍ୟବସ୍ଥା କରାଯିବାକୁ ଥିବାବେଳେ ୨୧ତାରିଖ ଠାରୁ ନେଗେଟିଭ ରିପୋର୍ଟ ଦର୍ଶନ ପାଇଁ ବାଧ୍ୟତା ମୂଳକ ନୁହେଁ। ସେହିପରି ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଦିନ ଶ୍ରୀମନ୍ଦିର ସାନିଟାଇଜ କରାଯିବ।

ଆଜିର ଆଲୋଚନାରେ ପୁରୀ ଓ ଶ୍ରୀମନ୍ଦିର ପ୍ରଶାସନ ଏବଂ ମେଡିକାଲ ଟିମ୍‌ଙ୍କ ମଦ୍ୟରେ ଆଲୋଚନା ହୋଇଥିଲା। ଆସନ୍ତା ୨୧ ତାରିଖରୁ ବିନା କୋଭିଡ୍ ରିପୋର୍ଟରେ ଜଗନ୍ନାଥ ଦର୍ଶନ କରିପାରିବେ। ଦୈନିକ ୩୦ ହଜାର ଲୋକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବାର ଯୋଜନା କରାଯାଇଛି। ଯଦି ଅଧିକ ହୁଅନ୍ତି, ତେବେ ସେଥିପାଇଁ ଆମେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବୁ। ବ୍ୟବସ୍ଥା ମୁତାବକ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ। 
-ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ

ଗତ ୨୬ ତାରିଖରୁ ଆଜି ପର୍ଯ୍ୟନ୍ତ ୧ଲକ୍ଷ ୨୫ହଜାର ୪୧୧ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ଆଗାମୀ ଦିନରେ ୨୧ତାରିଖ ରୁ ପ୍ରତିଦିନ ପାଖାପାଖି ୩୦ ହଜାର ଭକ୍ତ ଦର୍ଶନ କରିବା ନେଇ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆବଶ୍ୟକ ପଡିଲେ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ ବୈଠକ ପରେ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ୯ ମାସ ଧରି ସାଧରଣ ଲୋକ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଗତ ଡିସେମ୍ବର ୨୩ରେ ଶ୍ରୀମନ୍ଦିର ଖୋଲିଥିଲା। ପ୍ରଥମେ ସେବାୟତ ପରିବାର ଓ ପରେ ପୁରୀ ସହର ବାସିନ୍ଦାଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଟୋକନ୍ ବ୍ୟବସ୍ଥା ସହ ପ୍ରତି ଓ୍ୱାର୍ଡ ବୁଲି ପୌରପାଳିକା ପକ୍ଷରୁ ପରିବାର ମୁଖ୍ୟଙ୍କ ନାଁରେ ଟୋକନ୍ ବଣ୍ଟାଯାଇଥିଲା।

କେଉଁ ଦିନ କେଉଁ ଓ୍ୱାର୍ଡବାସୀ କେତେବେଳେ ଦର୍ଶନ ସୁଯୋଗ ପାଇବେ ସେ ସମୟ ମଧ୍ୟ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିର କରାଯାଇଥିଲା। ଜାନୁଆରୀ ୩ରୁ ପୁରୀ ବାହାରର ଭକ୍ତଙ୍କ ଲାଗି ବାଧ୍ୟତାମୂଳକ କରାଯାଇଥିଲା କୋଭିଡ୍ ନେଗେଟିଭ୍ ରିପୋର୍ଟ। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ସେଇ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଥିଲା।

You might also like