ବୁର୍ଲା ଭିସୁଟ୍‌ରେ କୌଣସି ଛାତ୍ର କରୋନା ଆକ୍ରାନ୍ତ ହୋଇନାହାନ୍ତି

ଭୁବନେଶ୍ୱର: ୨୫ ଜଣ ଭିସୁଟ୍‌ ଛାତ୍ର କୋଭିଡ୍‌ ପଜିଟିଭ ରିପୋର୍ଟ ନେଇ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ଦେଇଛି। ବୁର୍ଲା ଭିସୁଟ୍‌ରେ କୌଣସି ଛାତ୍ର କରୋନା ଆକ୍ରାନ୍ତ ହୋଇନାହାନ୍ତି। ପରୀକ୍ଷା କରାଯାଇଥିବା କିଟ୍ ଖରାପ ଥିଲା, ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଭିସୁଟ୍‌ର ୨୫ରୁ ଅଧିକ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଭିସୁଟ୍‌କୁ କଣ୍ଟେନମେଣ୍ଟ ଜୋନ୍ ଓ ସଟ୍‌ଡାଉନ୍‌ କରାଯାଇଥିଲା। ପାଖ ଅଞ୍ଚଳକୁ ବଫର ଜୋନ୍ କରାଯାଇଥିଲା। ଏହାସହ ପରୀକ୍ଷା ବାତିଲ କରାଯାଇଥିଲା।

ଭୁଲ୍ କିଟ୍ ଯୋଗୁଁ ଭିସୁଟରେ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ଘଟଣାରେ ଆଣ୍ଟିଜେନ୍ କିଟ୍ ଯୋଗାଣକାରୀ ୨ଟି କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଦିଲ୍ଲୀର ଓସ୍କାର ମେଡିକେୟାର କମ୍ପାନୀ ଓ ହରିଆଣାର ଆଲପାଇନ୍ ବାୟୋମେଡିକାଲ୍ସ ପ୍ରା. ଲିଃକୁ ନୋଟିସ୍ ଜାରି ହୋଇଛି। ଓଡ଼ିଶା ରାଜ୍ୟ ଔଷଧ ନିଗମ(OSMC) ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ୩ ଦିନ ମଧ୍ୟରେ ଜବାବ୍ ରଖିବାକୁ ଓଡିଶା ରାଜ୍ୟ ଔଷଧ ନିଗମର ନିର୍ଦ୍ଦେଶ ଦେଇଛନ୍ତି।

ରାପିଡ୍ ଆଣ୍ଟିଜେନ୍‌ ଟେଷ୍ଟରେ ପ୍ରଥମେ ପରୀକ୍ଷା କରାଯାଇଥିଲା। ଏହି ରିପୋର୍ଟରେ ପ୍ରଥମେ ୨ ଜଣଙ୍କ କରୋନା ପଜିଟିଭ ରିପୋର୍ଟ ଆସିଥିଲା। ପରେ ଟେଷ୍ଟ ପରେ ୨୩ ଜଣ ସମୁଦାୟ ୨୫ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ରିପୋର୍ଟ ଆସିଥିଲା। ସେମାନେ ସମସ୍ତେ ଲକ୍ଷଣବିହୀନ ଥିଲେ। ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସିଲା ସେମାନଙ୍କୁ ଏକ ସ୍ୱତନ୍ତ୍ର ହଷ୍ଟେଲରେ ରଖାଯାଇଥିଲା। ପରେ ସମସ୍ତ ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଏରିଆ କରାଯାଇଥିଲା। କିନ୍ତୁ ପରେ RT-PCR ଟେଷ୍ଟ କରିବା ପରେ ତାହା ନେଗେଟିଭ୍ ଆସିଥିଲା। ଅର୍ଥାତ କୌଣସି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି ଜଣାପଡ଼ିଛି।

ସମ୍ବଲପୁର ବୁର୍ଲାରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲ୍ ଅନ୍ତେବାସୀଙ୍କ ପାଇଁ କର୍ତ୍ତୃପକ୍ଷ କଡ଼ା ନିର୍ଦ୍ଦେଶନାମା ଜାରି କରିଥିଲେ। ବାହାରକୁ ଯଦି କୌଣସି ଛାତ୍ର ଯାଆନ୍ତି, ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ଫେରି ଆସିବାକୁ ହଷ୍ଟେଲ୍‌ ୱାର୍ଡେନ୍‌ ନିର୍ଦ୍ଦେଶ ଦେଇଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଛାତ୍ରୀମାନେ ମଧ୍ୟ ହଷ୍ଟେଲ୍‌କୁ ଫେରି ଆସିବାକୁ ୱାର୍ଡେନ୍ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାସହ ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରକ୍ଷା ରଖିବା, ସାନିଟାଇଜର୍‌ ବ୍ୟବହାର ଏବଂ ହ୍ୟାଣ୍ଡ୍‌ୱାଶ୍ ଉପରେ ଗୁରୁତ୍ୱ ଦେଇଥିଲେ।

ଏହାର ପ୍ରତ୍ୟକ୍ଷ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପଡ଼ିଥିଲା। କରୋନା ଯୋଗୁଁ ହୋଇଥିବା ଲକଡାଉନ୍ ପାଇଁ ଅନେକ ଦିନ ଭିସୁଟ୍‌ ବନ୍ଦ ରହିଥିଲା।‌ ତେବେ କମ୍‌ ଦିନର ପାଠପଢା ଭିତରେ ପୁଣି ଏପରି ଘଟଣା ସାମନାକୁ ଆସିବା ପରେ କଣ୍ଟେନମେଣ୍ଟ ଯୋଗୁଁ ଛାତ୍ରଛାତ୍ରୀମାନେ ବାହାରକୁ ଆସିପାରିନଥିଲେ। ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢିପାରିନଥିଲେ। ଏପରିକି କ୍ୟାମ୍ପସ୍‌ ଆସିଥିବା ବିଭିନ୍ନ କମ୍ପାନୀମାନଙ୍କ ପରୀକ୍ଷରେ ସାମିଲ ହୋଇପାରିନଥିଲେ।

ଏହା ପରେ ସ୍ଥଗିତ ରହିଥିବା ପରୀକ୍ଷାକୁ ନିର୍ଦ୍ଧାରିତ ସମୟରେ କରିବା ପାଇଁ ଆଉ ଥରେ ବୈଠକ ବସିବାକୁ ଯାଉଛି। ଏଥିରେ କୁଳପତି ଓ ରେଜିଷ୍ଟାର ଓ ଭିସୁଟ୍‌ କର୍ତ୍ତୃପକ୍ଷ ଯୋଗ ଦେବେ। ଏଥିରେ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

ଭିସୁଟ୍‌ରେ ଛାତ୍ରଙ୍କ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ଘଟଣାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ବୁର୍ଲାରେ ସ୍ଥିତି ଭଲ ଅଛି। ବୁର୍ଲାରେ କଣ୍ଟେନମେଣ୍ଟ ଜୋନ୍ ହଟିବା କଥା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। ସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ହଷ୍ଟେଲରେ ରଖାଯାଇଛି। ଜଣେ ମାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଏବେ ସେ ଠିକ୍ ଅଛନ୍ତି। 

You might also like