ନବରଙ୍ଗପୁର ଜିଲ୍ଲାର ୨ ସହରରେ ଲାଗିଲା କଟକଣା

ନବରଙ୍ଗପୁୁର: କରୋନାକୁ ନେଇ ରାଜ୍ୟରେ କଟକଣା ଆଜି ବି ଜାରି ରହିଛି। ସରକାର ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ୫ ଜିଲ୍ଲା ଓ ୯ ସହରକୁ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏବେ ନବରଙ୍ଗପୁୁର ଜିଲ୍ଲାର ୨ ସହରରେ ଲାଗିଛି କଟକଣା।

କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଏବଂ ଅନ୍ୟ ପ୍ରମୁଖ ସହର ଉମରକୋଟରେ କଟକଣା ଜାରି ହୋଇଛି । ଜିଲ୍ଲା ପ୍ରଶାସନ ହଠାତ ରବିବାର ରାତିରେ ମିଟିଙ୍ଗ କରି ଏଭଳି ନିଷ୍ପତି ନେଇଛି l ଏହି ନିଷ୍ପତ୍ତି ଅନୁଯାୟୀ  ସୋମବାର ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି୯ଟା ପର୍ଯ୍ୟନ୍ତ ଏହ କଟକଣା ଲଗୁ ରିହିବ।

ନବରଙ୍ଗପୁର ଜିଲ୍ଲାରେ ଅଦ୍ୟାବଧି ୧୫ ଜଣ ବାହାର ଦେଶରୁ ଆସିଥିବାରୁ ସେମାନଙ୍କୁ ପ୍ରଶାସନ ତରଫରୁ ସଙ୍ଗରୋଧ କରିଥିବାବେଳେ ଅନ୍ୟରାଜ୍ୟରୁ ୨୦୪ ଜଣ ଆସି ରେଜିଷ୍ଟ୍ରସନ କରିଥିବା ସୂଚନା ଦେଇଥିଲେ ଜିଲ୍ଲାପାଳ l କିନ୍ତୁ  ୭୦ରୁ ଊର୍ଦ୍ଦ୍ୱ ଶ୍ରମିକ ରେଜିଷ୍ଟ୍ରସନ କରିନଥିବାରୁ ତାହାକୁ ଗୁରୁତର ସହ ନେଇ ରେଜିଷ୍ଟ୍ରସନ କରିବାକୁ ସ୍ୱାସ୍ଥ୍ୟବିଭାଗ ଓ ପୋଲିସ ବିଭାଗକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାର ଦୁଇ ମୁଖ୍ୟ ସହର ହେଉଛି ନବରଙ୍ଗପୁର ଓ ଉମରକୋଟ। ଏହି ଦୁଇ ସହରକୁ ବନ୍ଦ କରିଦେଲେ  କରୋନାକୁ ଆୟତ୍ତ କରିହେବ ବୋଲି ଜିଲ୍ଲାପାଳ କହିଥିଲେ।

ତେଣୁ  ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ସାଧାରଣ ପରିବହନ ବ୍ୟବସ୍ଥାରେ କଟକଣା ଲଗାଯାଇଛି । ଉମରକୋଟ-ନବରଙ୍ଗପୁର ସହର ମଧ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି। ସେହପରି ଟାକ୍ସି ଓ ଅଟୋ ଚାଳନା ଉପରେ ମଧ୍ୟ ରୋକ ଲଗାଯାଇଛି । ତେବେ ଡାକ୍ତରଖାନା ଓ ବସଷ୍ଟାଣ୍ଡକୁ ଯାତାୟତ ଏହି କଟକଣାରୁ ବାଦ ଦିଆଯାଇଛି ।

ଗ୍ରୋସରୀ ଦୋକାନ, କ୍ଷୀର, ପରିବା, ପାଉଁରୁଟି, ମାଛ, ମାଂସ, ଅଣ୍ଡା, ଚିକେନ୍ ଓ ଔଷଧ ଦୋକାନ ଖୋଲା ରହିବ।  କରୋନା ମୁକାବିଲା ଲାଗି ଯେଉଁ ବେସରକାରୀ ସଂସ୍ଥା କାର୍ଯ୍ୟ କରୁଥିଲେ ତାହା ମଧ୍ୟ ଖୋଲା ରହିବ। ଦୁଇ ସହରରେ ଥିବା ପ୍ରଶାସନିକ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ଗଣମାଧ୍ୟମ, ଟେଲିକମ, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ଏଟିଏମ୍ ସହ ମେଡିକାଲ ଷ୍ଟୋର ଖୋଲା ରହିବ । ଆଜି ସକାଳ ୭ଟାରୁ ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି।

ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର,  ଏସ.ପି. ନିତିନ କୁଶଳକର, ଉପଜିଲ୍ଲାପାଳ ଭାସ୍କର ରଇତ, ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୁତାରଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ l

 

You might also like