NMA ଚିଠା ଅଧିନିୟମକୁ ନେଇ ବଢୁଛି ବିବାଦ, ତେଜୁଛି ରାଜନୀତି

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର NMA ଚିଠା ଅଧିନିୟମକୁ ନେଇ ବଢିବାରେ ଲାଗିଛି ବିବାଦ, ଆଉ ତେଜୁଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। ଗତକାଲି ଲିଙ୍ଗରାଜ ମନ୍ଦିରେ ବିଜେଡି ପ୍ରାୟୋଜିତ ଦୀପଦାନ ଓ ବାଇ-ଲ ପ୍ରତ୍ୟାହର ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟୁଇଟ ପରେ ଜବାବ୍ ରଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଅଧିନିୟମର କର୍ଯ୍ୟକାରିତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଠିକରେ ବୁଝାଯାଇନି। ରାଜ୍ୟ ସରକାରୀ ପ୍ରତିନିଧୀ ଠିକରେ ଅଧିନିୟମ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଥିଲେ ଧର୍ମେନ୍ଦ୍ର। ଆଉ ତାପରେ ବି ବିବାଦ ଥମିନଥିବା ଦେଖିବାକୁ ମିଳିଛି।

ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଅର୍ଜୁନ ରାମ ମେଘାଓ୍ୱାଲଙ୍କୁ ଭେଟି ବାଇ-ଲ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ। ବିଜେଡିର ଏଭଳି ଆଭିମୁୁଖ୍ୟକୁ ନାପସନ୍ଦ କରିଛି ବିଜେପି । NMAର ନିୟମ ଯାହା ରାଜ୍ୟ ସରକାରଙ୍କର ମଧ୍ୟ ସମାନ ନିୟମ ରହିଛି। ତେଣୁ କଣ ପାଇଁ ବିଜେଡି ଅଧିନିୟମକୁ ବିରୋଧ କରୁଛି ବୋଲି ଦଳ ଜାଣିବାକୁ ଚାହିଁଛି। ଠିକ୍ ସେହିପରି ଯାହା ନଖରେ ଛିଣ୍ଡିବ, ତା ପାଇଁ ଟ୍ୟାଙ୍କ୍ ବ୍ୟବହାର କଣ ଦରକାର ବୋଲି ପ୍ରଶ୍ନ କରିଛି ବିଜେପି।

ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ,  ପୁରୀ ମନ୍ଦିର ଉଇ ଡ୍ର ହୋଇଯାଇଛି। କିନ୍ତୁ ଏହି ୨ ମନ୍ଦିର ଲାଗି ଏପର୍ଯ୍ୟନ୍ତ ଉଇ ଡ୍ର ହୋଇନାହିଁ। ବିଜେପିର ସାଂସଦମାନେ ମନା କରିଦେଇଛନ୍ତି ଆମ ସହ ଯିବା ଲାଗି। ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ଅନୁରୋଧ କରିଥିଲେ ଆମ ଏମପି। ଏହା ବଡ଼ ଦୁଃଖର କଥା। ଏହି ଘଟଣାରେ ସେମାନେ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ପିନାକୀ। ସେପଟେ ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ସେ କହିଛନ୍ତି ଯେ, ରାଜ୍ୟ ସରକାର ନିଜେ ଏହି ଆଇନ କରିଛନ୍ତି କିନ୍ତୁ ତାହାକୁ ଏନଏମଏ କରିବା ବେଳେ ଯାତ୍ରା କରୁଛନ୍ତି।  ଧର୍ମକୁ ନେଇ ଯେଉଁ ପରିବେଶ ସୃଷ୍ଟି କରୁଛନ୍ତି ଏହାକୁ କେହି ଗ୍ରହଣ କରିବେ ନାହିଁ। ଯେଉଁ କଥା ନଖରେ ଛିଡ଼ିବ ତାହା ଲାଗି ରାଜ୍ୟ ସରକାର କାହିଁକି ଟ୍ୟାଙ୍କର ବ୍ୟବହାର କରୁଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

ଐତିହ୍ୟ ସୁରକ୍ଷା ଲାଗି ଉଦ୍ଦିଷ୍ଟ ୧୯୫୮ର ଆମ୍ସାର୍ ଆଇନ ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, କିର୍ତ୍ତୀରାଜି ପରିସରର ଶହେ ମିଟର ଭିତରେ କିଛି ବି ନିର୍ମାଣ କାମ ହୋଇପାରବ ନାହିଁ। ଆଇନ ଅନୁସାରେ ଏହା ନିଷିଦ୍ଧାଞ୍ଚଳ ଭାବରେ ସମସ୍ତେ ଜାଣିଛନ୍ତି। ସେହିପରି ନିଷିଦ୍ଧାଞ୍ଚଳଠୁ ୨ଶହ ମିଟର ହେଉଛି ନିୟନ୍ତ୍ରିତ ଅଂଚଳ। ତେଣୁ ସେହି ଅଞ୍ଚଳରେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ସେଠାରେ ନିର୍ମାଣ କାମ କରିହେବ। NMA ବାଇଲରେ ମଧ୍ୟ ସେଇ ବ୍ୟବସ୍ଥା ରହିଛି। ଏଣେ ରାଜ୍ୟ ସରକାରଙ୍କ ୨୦୧୮ ବିଡିଏ ଗେଜେଟ୍ ନୋଟିଫିକେସନ୍ ଓ ଓଡିଶା ଡେଭଲମେଣ୍ଟ ଅଥରଟି ୨୦୨୦ ନିୟମରେ ମଧ୍ୟ ସମାନ ବିଷୟ ଉଲ୍ଲେଖ ରହିଛି ବୋଲି ଜଣାପଡିଛି।

ତେଣୁ ବାଇ-ଲ ବିରୋଧ କରୁଥିବା ବ୍ୟକ୍ତିବିଶେଷ ଏହାକୁ ଭଲ ଭାବେ ଅନୁଧ୍ୟାନ କରିଛନ୍ତି ତ? ନା ଲୋକଙ୍କୁ ବିଭ୍ରାନ୍ତ କରି କିର୍ତ୍ତୀରାଜି ସୁରକ୍ଷା ନାଁରେ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା ଚାଲିଛି ? ଅନ୍ୟପକ୍ଷରେ ବାଇ-ଲ ଚୁଡାନ୍ତ ହୋଇନଥିବା ବେଳେ କେବଳ ଫେବୃଆରୀ ୧୮ ସୁଦ୍ଧା ଆପତ୍ତି-ଅଭିଯୋଗ ମଗାଯାଇଛି। ଅର୍ଥାତ୍ ସ୍ଥାନୀୟ ଲୋକଙ୍କ ମତମତ ପରେ ଯାଇ ଏହା ଚୂଡ଼ାନ୍ତ ହେବ।

ଶ୍ରୀମନ୍ଦିର ବାଇ-ଲ ପ୍ରତ୍ୟାହର ପରେ ଏବେ ଅନନ୍ତ ବାସୁଦେବ ଓ ବ୍ରହ୍ଣେଶ୍ୱର ମନ୍ଦିର ବାଇ-ଲ ପ୍ରତ୍ୟାହର ଦାବି ମଧ୍ୟ ଜୋର ଧରିଛି। ଆଗକୁ ଏ ବିବାଦ କେଉଁ ରୂପ ନେବ ଏବେ ତା ଉପରେ ନଜର ହିଛି।

 ଦିଲ୍ଲୀରୁ ଶିବାନନ୍ଦ ରାଉତ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

 

You might also like