ଛାତ୍ରଛାତ୍ରୀଙ୍କ ବିରୋଧ ପରେ NIT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି : ଅଫଲାଇନ ବଦଳରେ ଅନଲାଇନରେ ହେବ ପରୀକ୍ଷା
ରାଉରକେଲା: ଛାତ୍ରଛାତ୍ରୀଙ୍କ ବିରୋଧ ପରେ ରାଉରକେଲା ଏନଆଇଟି କର୍ତ୍ତୃପକ୍ଷଙ୍କ ତତ୍ପରତା । ଅଫଲାଇନ ବଦଳରେ ଅନଲାଇନରେ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଏନଆଇଟି କର୍ତ୍ତୃପକ୍ଷ । କେବେ ଓ କେଉଁ ସମୟରେ ପରୀକ୍ଷା କରାଯିବ ସେନେଇ ଆଉ ଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି । ପୂର୍ବରୁ ଅଫଲାଇନରେ ପରୀକ୍ଷା କରିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ହେଲେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଛାତ୍ରଛାଚ୍ରୀମାନେ ଅଫଲାଇନ ପରୀକ୍ଷାକୁ ବିରୋଧ କରିଥିଲେ । ଏହାକୁ ନେଇ ଅସନ୍ତୋଷ ତେଜିବାରୁ ଏନଆଇଟି କର୍ତ୍ତୃପକ୍ଷ ଅନଲାଇନରେ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।
ଛାତ୍ରଛାତ୍ରୀଙ୍କ ବିରୋଧ ପରେ NIT କର୍ତ୍ତୃପକ୍ଷଙ୍କ ତତ୍ପରତା। ଅଫଲାଇନ ବଦଳରେ ଅନଲାଇନରେ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି NIT କର୍ତ୍ତୃପକ୍ଷ। #NIT #Rourkela #Odisha pic.twitter.com/olKge1LWnR
— ଓଟିଭି (@otvkhabar) March 27, 2021
ଦୀର୍ଘ ଦିନ ବନ୍ଦ ରହିବା ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ମାର୍ଚ୍ଚ ୩ ତାରିଖରୁ ନିଟ୍ କ୍ୟାମ୍ପସକୁ ଫେରିଥିଲେ ଛାତ୍ରଛାତ୍ରୀ। ହେଲେ ଏହାରି ଭିତରେ ଏନଆଇଟିର ୩ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀମାନେ ଅନଲାଇନରେ ପରୀକ୍ଷା କରାଯାଉ ବୋଲି ଦାବି କରିଥିଲେ। ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖରୁ ଅଫଲାଇନ୍ରେ ହେବାକୁ ଥିବା ପରୀକ୍ଷାକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ। ତେବେ ଗତକାଲି ସନ୍ଧ୍ୟା ସମୟରେ ଏ ସମ୍ପର୍କରେ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିଛି ଛାତ୍ରଛାତ୍ରୀ ଏ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ।
ତେବେ ଆଲୋଚନା ପରେ ଅନଲାଇନରେ ପରୀକ୍ଷା କରାଯିବ ବୋଲି ଧାର୍ଯ୍ୟ ହୋଇଛି। ଅନ୍ୟପଟେ ରାଉରେକଲା ସହରରେ ସୋସିଆଲ ମିଡ଼ିଆରେ ଏକ ନୋଟିସ୍ ଘୁରି ବୁଲୁଛି। ସାତ ଦିନ ଭିତରେ କ୍ୟାମ୍ପସ୍ ଖାଲି କରିବା କଥା ନୋଟିସରେ ଉଲ୍ଲେଖ ଥିଲା । ତେବେ ଏହାକୁ ଖଣ୍ଡନ କରିଛନ୍ତି NIT କର୍ତ୍ତୃପକ୍ଷ । ଖୁବଶୀଘ୍ର କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରାଯିବ ବୋଲି କୁହାଯାଉଛି। ସଂକ୍ରମିତଙ୍କ ସଂଖ୍ୟା ୩ରେ ହିଁ ସୀମିତି ରଖିବାକୁ NIT କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖୁବ ଶୀଘ୍ର ପ୍ରୟାସ ଆରମ୍ଭ କରାଯିବ ।