ସଗରିଆଙ୍କୁ ମିଳିନପାରେ କଂଗ୍ରେସ ଟିକେଟ ; ଇଙ୍ଗିତ ଦେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମିଳିନପାରେ କଂଗ୍ରେସ ଟିକେଟ। ଆଜି ଏ ନେଇ ଇଙ୍ଗିତ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଟିକେଟ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, ସଗରିଆଙ୍କ ବିଷୟରେ ଶୃଙ୍ଖଳା କମିଟିରେ ଆଲୋଚନା କରାଯାଇଛି। ସଗରିଆ ଆଚରଣ ପରିବର୍ତ୍ତନ କଲେ ଟିକେଟର ସମ୍ଭାବନା ଅଛି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ପ୍ରତିବାଦରେ କଂଗ୍ରେସ ନେତା ସଗରିଆ ଗତ  ନଭେମ୍ବର ୬ ତାରିଖରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏପରିକି ବିଭିନ୍ନ ପ୍ରସଙ୍ଗରେ କିଛି କଂଗ୍ରେସ ନେତାଙ୍କ ସହ ତାଙ୍କ ମତଭେଦ ସାମ୍ନାକୁ ଆସିଥିଲା।

ସେପଟେ ଟିକେଟ ପ୍ରସଙ୍ଗକୁ ନେଇ ନିରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି ସଗରିଆ। କଡ଼ା ପ୍ରତିକ୍ରିୟା ଦେଇ କୋରାପୁଟର ପୂର୍ବତନ ବିଧାୟକ କହିଛନ୍ତି, ନିରଞ୍ଜନ କଂଗ୍ରେସକୁ ଖତମ କରିବାକୁ ଚାହୁଁଛନ୍ତି। ଟିକେଟ ଦେବା, ନଦେବା କାମ ଏଆଇସିସି ନିଷ୍ପତ୍ତି ନେବ। ପିସିସି ସଭାପତି କେବଳ ଟିକେଟ ପାଇଁ ସୁପାରିଶ କରିବେ। ମୁଁ ସେମିତି ଦଳ ବିରୋଧୀ କାମ କିଛି କରିନି ଯେ ଟିକେଟ କଟିବ।

ନିରଞ୍ଜନଙ୍କ ଏଭଳି ମନ୍ତବ୍ୟ ଦଳ ବିରୋଧୀ କାର୍ଯ୍ୟ ବୋଲି ସଗରିଆ କହିଛନ୍ତି। ସେ ଆହୁରି କହିଛନ୍ତି,  ନିରଞ୍ଜନଙ୍କ ଆଚରଣ ସଂପର୍କରେ ରାହୁଲ ଗାନ୍ଧିଙ୍କୁ ଜଣାଇବି। ସୌମ୍ୟଙ୍କ ସହ ମିଶି ନିରଞ୍ଜନ କଂଗ୍ରେସକୁ ଖତମ କରୁଛନ୍ତି ବୋଲି ଜଣାଇବି।

You might also like