କୃଷି ଋଣ ଛାଡ଼ ପ୍ରତିଶ୍ରୁତି ଦୋହରାଇଲେ ନିରଂଜନ ପଟ୍ଟନାୟକ

ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ ପିସିସି ସଭାପତି

ଭୁବନେଶ୍ୱର : କୃଷି ଋଣ ଛାଡ଼ ଓ ଯୁବକଙ୍କୁ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବର୍ଷକୁ ଲକ୍ଷେ ଯୁବକଙ୍କୁ ଚାକିରୀ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସାଢ଼େ ୪ ବର୍ଷ ପରେ ବି ଏନେଇ ସାମାନ୍ୟ ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ସ୍ୱପ୍ନ ଦେଖାଇଥିଲେ। ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରିବେ। ଏହାଛଡ଼ା ପାରାଦୀପ ତୈଳ ବିଶୋଧନାଗାର ଉଦ୍‌ଘାଟନ ବେଳେ ପ୍ରତିଶ୍ରୁତି ଦେଇଥିଲେ, ଓଡ଼ିଶାର ଯୁବକଙ୍କୁ ଏଠାରେ ନିଯୁକ୍ତି ମିଳିବ। ହେଲେ ସବୁ ପାଣିର ଗାର ହୋଇଯାଇଛି।

ସେପଟେ ତିନି ରାଜ୍ୟରେ ବିଜେପିର ପରାଜୟ ନେଇ ବିଜେଡିର ଜବାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ। ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ୱାମୀନାଥନ କମିଟିର ସୁପାରିଶ ଲାଗୁ କରିନଥିବାରୁ, ଚାଷୀଙ୍କ ଆକ୍ରୋଶର ଶୀକାର ହୋଇ ପରାଜୟ ବରଣ କଲେ ବୋଲି ବିଜେଡି କହିଥିଲା।

ତେବେ ରାଜ୍ୟ ସରକାର ନିଜେ ସ୍ୱାମୀନାଥନ କମିଟିର ସୁପାରିଶ ଲାଗୁ କରିଛନ୍ତି କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ସେପଟେ ନିରଞ୍ଜନଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି, ଚାଷୀଙ୍କୁ ବୋନସ୍ ଦେବାରେ କେନ୍ଦ୍ର ଲକ୍ଷ୍ମଣରେଖା ଟାଣିଛି। ଯଦି ବୋନସ୍ ଦେଉଛୁ, ତେବେ FCI ଆମ ଠାରୁ ଚାଉଳ କିଣିବନି।

ସେପଟେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି।

You might also like