ବର୍ଷେ ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବ କଂଗ୍ରେସ
- ଜାନୁଆରୀ ୩୦ରୁ ବର୍ଷ ତମାମ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବ କଂଗ୍ରେସ।
- ସଭା,ପଦଯାତ୍ରା ଆୟୋଜନ ସହ ରାଜ୍ୟସ୍ତରୀୟ କମିଟି ଗଠନ ହେବ।
- କଂଗ୍ରେସ ଛାଡ଼ିଥିବା ଲୋକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ହେବ।
- ୩୦ ତାରିଖ ଗାନ୍ଧିଙ୍କ ତିରୋଧାନ ଦିବସରୁ ରାଜ୍ୟକୁ ନିଶାମୁକ୍ତ କରିବାକୁ ସରକାରଙ୍କୁ ଆହ୍ୱାନ।
ଭୁବନେଶ୍ୱର: ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବ ରାଜ୍ୟ କଂଗ୍ରେସ। ଆସନ୍ତା ୩୦ ତାରିଖରୁ ବର୍ଷ ତମାମ ପାଳନ କରାଯିବ ଶତବାର୍ଷିକ ଉତ୍ସବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ସହିତ ଓଡ଼ିଶାରେ କଂଗ୍ରେସକୁ ମଧ୍ୟ ୧୦୦ ବର୍ଷ ପୂରିଛି ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି।
ଏହି ଶତବାର୍ଷିକୀ ଉତ୍ସବ ଅବସରରେ ଜିଲ୍ଲା ସଦର ମହକୁମାରେ ବିଭିନ୍ନ ସଭାର ଆୟୋଜନ ହେବ। ଯେଉଁ ଯେଉଁ ସ୍ଥାନକୁ ଗାନ୍ଧିଜୀ ଯାଇଥିଲେ ସେହି ସବୁସ୍ଥାନରେ ମଧ୍ୟ କାର୍ଯ୍ୟକ୍ରମ ହେବ। ସବୁ ଜିଲ୍ଲାରେ ପଦଯାତ୍ରା ଆୟୋଜନ କରାଯିବ। କଂଗ୍ରେସ ରାଜ୍ୟସ୍ତରୀୟ କମିଟି ଗଠନ ହେବ। ସବୁ ବ୍ଲକ ଓ ମ୍ୟୁନିସିପାଲଟିରେ କାର୍ଯ୍ୟକ୍ରମ ସମାପନ କରିବାକୁ କମିଟି ଗଠନ କରାଯିବ। ଏଥସହିତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମଧ୍ୟ ସାମିଲ କରାଯିବ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି।
ଏଥିସହିତ କଂଗ୍ରେସ ଛାଡ଼ିଥିବା ଲୋକଙ୍କୁ ଫେରାଇ ଆଣିବାକୁ ଆହ୍ୱାନ କରାଯିବ। ଏନେଇ ନିରଞ୍ଜନ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ଗଣତନ୍ତ୍ରର ଶ୍ୱାସରୁଦ୍ଧ କରାଯାଉଛି। ସମ୍ବିଧାନ ସଂକଟରେ ପଡ଼ିଛି। ତେଣୁ ଯେଉଁମାନେ ଦେଶପ୍ରେମୀ କଂଗ୍ରେସକୁ ଫେରିଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ଦଳକୁ ଫେରି ଆସିବାକୁ ଆହ୍ୱାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତା ସହିତ କଟକରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନା ମଧ୍ୟ କରାଯିବ।
ଦଳିତ ଅଦିବାସୀ ଅଞ୍ଚଳରେ ଏହାକୁ ଗୁରୁତର ସହ ନିଆଯିବ। କଂଗ୍ରେସ ପକ୍ଷରୁ ଏକ ଛୋଟିଆ ପୁସ୍ତକ ପ୍ରକାଶ କରାଯିବ ବୋଲି ନିରଞ୍ଜନ କହିଛନ୍ତି। ଏଥିସହିତ ରାଜ୍ୟର ସବୁ ଜିଲ୍ଲାରେ ହଜାରେ ଦି ହଜାରେ ଯୁବବର୍ଗଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର କରାଯିବ। ଏଥିରେ ଦେଶର ସ୍ୱାଧିନତା ଆନ୍ଦୋଳନ, ଗାନ୍ଧି ନେହେରୁ ଓ କଂଗ୍ରେସର ଇତିହାସ ଓ ଆଦର୍ଶ ବିଷୟରେ ସେମାନଙ୍କୁ ଅବଗତ କରାଯିବ।
ଜାନୁଆରୀ ମାସରୁ ହିଁ ଏହିସବୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ସେହିପରି ୨୩ରେ ସୁବାଷ ବୋଷଙ୍କ ଜନ୍ମବାର୍ଷିକୀ, ଜାନୁଆରୀ ୨୬ ଆଦି ମଧ୍ୟ ଭଲ ଭାବରେ ପାଳନ କରାଯିବ। ଆରବର୍ଷ ୩୦ ପର୍ଯ୍ୟନ୍ତ ଏମିତି ସବୁ କାର୍ଯ୍ୟକ୍ରମ ଚାଲିବ। ଆମେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ସରକାର ନିଷ୍ପତ୍ତି ଆସିବ ପରେ ବିଧିବଦ୍ଧ କାର୍ଯ୍ୟକ୍ରମ ତାଲିକା ପ୍ରକାଶ କରିବୁ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି। ଏହା ବାଦ ସରକାରଙ୍କୁ ମଧ୍ୟ ଆମେ ସହଯୋଗ କରିବୁ ବୋଲି ସେ କହିଛନ୍ତି।
ଏଥିସହିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି ନିରଞ୍ଜନ। ସେ କହିଛନ୍ତି ସରକାର ଯଦି ପ୍ରକୃତରେ ଆନ୍ତରିକତାର ସହିତ ଗାନ୍ଧିଜୀଙ୍କ ଶତବାର୍ଷିକୀ ପାଳନ କରିବାକୁ ଚାହୁଁଛନ୍ତି ତାହାଲେ ଗାନ୍ଧୀଙ୍କୁ ସମ୍ମାନ ଦେବା ପାଇଁ ତାଙ୍କ ତୀରୋଧ୍ୟାନ ଦିବସ ଜାନୁଆରୀ ୩୦ ତାରିଖରେ ନିଶା ନିବାରଣ କରନ୍ତୁ। ତାହା ହିଁ ପ୍ରକୃତ ସମ୍ମାନ ହେବ ବୋଲି ନିରଞ୍ଜନ କହିଛନ୍ତି। ଏହାଦ୍ୱାରା ମଦ ପାଇଁ ଆମ ରାଜ୍ୟରେ ଏକ ଭଲ ମେସେଜ୍ ଯିବ ବୋଲି ସେ କହିଛନ୍ତି।