ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ : ଭୟରେ ଜନବସତି ଆଡ଼କୁ ପଳାଇ ଆସୁଛନ୍ତି ଜଙ୍ଗଲୀ ଜନ୍ତୁ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି-ଉଦଳା ରାସ୍ତାରେ ଥିବା ତିନିକୋଶିଇା ଜଙ୍ଗଲରେ ଅଗ୍ନିକାଣ୍ଡ। ଗତ ରାତିରୁ ଜଙ୍ଗଲର ୭ଟି ସ୍ଥାନ ଜଳୁଥିବା ଦେଖିବାକୁ ମିଳିଛି। ଗଛପତ୍ର ପୋଡି ପାଉଁଶ ହୋଇଯାଇଛି।  ଫଳରେ ଭାଲୁ ଓ ଅନ୍ୟ ବନ୍ୟଜନ୍ତୁ ଜଙ୍ଗଲରୁ ବାହାରି ଜନବସତି ଆଡ଼କୁ ପଳାଇ ଆସିଛନ୍ତି। ପାହାନ୍ତିଆରୁ ନୀଳଗିରି ସହରରେ ଗୋଟିଏ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଜଳୁଥିଲେ ବି ଲିଭାଇବା ଲାଗି ଏ ଯାଏ ପଦକ୍ଷେପ ନିଆଯାଇନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ତଥ୍ୟ ଅନୁସାରେ ଓଡ଼ିଶା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା ସର୍ବାଧିକ ବୋଲି ଜଣାପଡ଼ିଛ। ୨୦୨୧ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୧ ମଧ୍ୟରେ ଓଡ଼ିଶାରେ  ପାଖାପାଖି  ୫,୨୯୧ ଜଙ୍ଗଲରେ ନିଆଁ ଲାଗିଥିବା ରେକର୍ଡ କରାଯାଇଛି। ‘ଫରେଷ୍ଟ୍‍ ସର୍ଭିସ୍‌ ଅଫ୍‌ ଇଣ୍ଡିଆ’ (ଏଫ୍‌ଏସ୍‌ଆଇ) ଅନୁସାରେ ଏହି ସୂଚନା ମିଳିଛି। ନଭେମ୍ବର ପହିଲାରୁ ଓଡ଼ିଶାରେ ପ୍ରାୟ ୭,୧୮୮ଟି ଜଙ୍ଗଲରେ ନିଆଁ ଲାଗିଥିବା ତଥ୍ୟ ରହିଛି।

ସେପଟେ ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି। ନିଆଁଲିଭା କାମରେ ହଜାରେରୁ ଅଧିକ ଲୋକ ଲାଗିଛନ୍ତି। ସେମାନଙ୍କ ମଧ୍ୟରୁ ୮୫୦ଜଣ ବନ ବିଭାଗ କର୍ମଚାରୀ ଅଛନ୍ତି।  ଅଭୟାରଣ୍ୟର ଚନ୍ଦନଚତୁରୀ, ଡିଗଡିଗା, ଡୁକରା, ପୋଡ଼ାଡିହା, ଠାକୁରମୁଣ୍ଡା ଏବଂ ବରେଇପାଣି ଭଳି ୭ଟି ରେଞ୍ଜରେ ନିଆଁ ଲାଗିଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ଶିମିଳିପାଳ ଅଭୟାରଣ୍ୟର ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବା ସହ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

You might also like