ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସୋମବାର ଦିନଠୁ ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ପଶ୍ଚିମ ଓଡ଼ିଶାର ୭ଟି ଓ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିର। ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି ୧୦ ଜିଲ୍ଲାରେ କଟକଣା ଲାଗୁ ହୋଇଛି। ଏହି ସମୟରେ ଜରୁରୀ କାମ ନ ଥାଇ ଘରୁ ବାହାରିଲେ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ନାଇଟ୍‌ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ।

ଅନ୍ୟପକ୍ଷେ, ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ କୌଣସି ଦିନ ବେଳେ କର୍ଫ୍ୟୁର ଯୋଜନା ନାହିଁ। ଏବେ କୋଭିଡ୍ ସଂକ୍ରମଣ ସ୍ଥିତି ବହୁତ ପରିମାଣରେ ନିୟନ୍ତ୍ରଣରେ ଅଛି। ତଥାପି ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସ୍ପଷ୍ଟ କରିଛନ୍ତି।  ଏକ ଟ୍ୱିଟ୍ କରି ସେ ଏହି ସ୍ପଷ୍ଟୀକରଣ ରଖିଛନ୍ତି।

ବର୍ତ୍ତମାନ ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣକୁ ଦେଖି ବାଚସ୍ପତି ଡେ’ କର୍ଫ୍ୟୁ ଜାରି ନେଇ ୪/୫ ଦିନ ଭିତରେ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଥିଲେ। ଏନେଇ ଗଣମାଧ୍ୟମରେ ରିପୋର୍ଟ ପରେ ଏସ୍‌ଆର୍‌ସି ଟ୍ୱିଟ୍‌ କରି ଡେ’ କର୍ଫ୍ୟୁର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଲୋକମାନେ କୋଭିଡ୍ ନିୟମ ମାନିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି।

ଗତକାଲି ରାଜ୍ୟରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଛତିଶଗଡ଼ ସୀମାରେ ଥିବା ଜିଲ୍ଲା ଗୁଡିକରେ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ବି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଛତିଶଗଡ଼ ସୀମା ମୁକୁଳା ପଡିଥିବା ଲୋକେ ଅଭିଯୋଗ କରିଛନ୍ତି। ଓଡ଼ିଶା-ଛତିଶଗଡ଼ ସୀମାରେ ଲୋକେ ଅନାୟସରେ ଯାଆସ କରୁଛନ୍ତି। ଛତିଶଗଡ଼ ସୀମାକୁ ନବରଙ୍ଗପୁର ଜିଲ୍ଲାର ୬ଟି ବ୍ଲକ୍‌ ଲାଗି ରହିଥିବାବେଳେ ୩ଟି ମୁଖ୍ୟ ସଡ଼କ ରହିଛି। ଏହି ସବୁ ରାସ୍ତା ଗୁଡ଼ିକରେ ଅବାଧରେ ଲୋକେ ଯାଆସ କରୁଛନ୍ତି।

You might also like