ଓଡ଼ିଶାର ଏହି ଜିଲ୍ଲାରୁ ଉଠିଲା ନାଇଟ୍ କର୍ଫ୍ୟୁ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ପ୍ରଶାସନ ପକ୍ଷରୁ ନାଇଟ୍ କର୍ଫ୍ୟୁ କଟକଣା ଉଠାଇ ଦିଆଯାଇଛି। ନାଇଟ୍ କର୍ଫ୍ୟୁ କଟକଣା ଉଠିବା ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ କିଛି ଦିନ ହେଲା ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମୁ ଥିବାରୁ ନାଇଟ୍ କର୍ଫ୍ୟୁକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରେ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲଗାଇଥିଲା ଜିଲ୍ଲା ପ୍ରଶାସନ। ନାଇଟ୍ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ମଧ୍ୟ ଲଗାଯାଇଥିଲା। ଅନ୍ୟାନ୍ୟ କଟକଣା ଗୁଡ଼ିକ ହେଲା ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଜରୁରୀ ନଥିବା ସେମିନାର, ୱାର୍କସପ୍, କନ୍ଫରେନ୍ସ ବାତିଲ କରାଯିବ। ଗହଳି ହେଉଥିବା ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ରିସେପସନ୍ ଇତ୍ୟାଦି ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ବାହାଘର ବରଯାତ୍ରୀ ଶୋଭାଯାତ୍ରା, ଅପେରା, ରାଜନୈତିକ ଶୋଭାଯାତ୍ରା, ଆନ୍ଦୋଳନ ଉପରେ ମଧ୍ୟ ରୋକ୍ ଲାଗିଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୭୧ ଜଣ କ୍ୱାରେଣ୍ଟିନ୍ରେ ଥିବାବେଳେ ଲୋକାଲ୍ କେସ୍ ୧୧୯ ରହିଛି।