ଆଜିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ; କଡ଼ାକଡ଼ି ହେଲା କଟକଣା
ନବରଙ୍ଗପୁର: ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ନାଇଟ୍ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ମଧ୍ୟ ଲଗାଯାଇଛି।
ଏଗୁଡ଼ିକ ହେଲା ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଜରୁରୀ ନଥିବା ସେମିନାର, ୱାର୍କସପ୍, କନ୍ଫରେନ୍ସ ବାତିଲ କରାଯିବ। ଗହଳି ହେଉଥିବା ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ରିସେପସନ୍ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବାହାଘର ବରଯାତ୍ରୀ ଶୋଭାଯାତ୍ରା, ଅପେରା, ରାଜନୈତିକ ଶୋଭାଯାତ୍ରା, ଆନ୍ଦୋଳନ ଉପରେ ରୋକ୍ ଲାଗିଛି ।
କଲ୍ୟାଣ ମଣ୍ଡପରେ ଗହଳି ସମ୍ଭାବନା ଥିବା କାର୍ଯ୍ୟକ୍ରମକୁ ଅନୁମତି ମିଳିବନାହିଁ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଥାଉ କି, ରାଜ୍ୟରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ସଂକ୍ରମଣ ଯେପରି କୌଣସି ଅଞ୍ଚଳକୁ ହଟସ୍ପଟ ନକରେ ସେଥିପାଇଁ ସଜାଗ ହୋଇଛି ପ୍ରଶାସନ । ଭୁବନେଶ୍ୱରର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଅଧିକ ଟେଷ୍ଟିଙ୍ଗ କରାଯିବ । ଏଥିସହ ବିଭିନ୍ନ ହଷ୍ଟେଲରେ ରାଣ୍ଡମ୍ ଚେକିଂ କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର।
ଗତକାଲି ମଧ୍ୟ ରେଲେଓ୍ୱ ଷ୍ଟେସନ ଓ ବିମାନ ବନ୍ଦର ପରିଦର୍ଶନ କରି ସ୍କ୍ରିନିଂ ଓ ଟେଷ୍ଟିଙ୍ଗକୁ ଗୁରୁତ୍ୱ ଦେଇଥିଲେ କମିଶନର । ଏଣିକି ପ୍ରତିଦିନ ରେଲେଓ୍ୱ ଷ୍ଟେସନରେ ୨ଶହ ଲୋକଙ୍କର ଟେଷ୍ଟିଙ୍ଗ କରାଯିବ। ପୂର୍ବରୁ ଯେଉଁମାନଙ୍କର ଲକ୍ଷଣ ଥିଲା ସେହିମାନଙ୍କର ଟେଷ୍ଟ କରାଯାଉଥିଲ। କିନ୍ତୁ ବର୍ତ୍ତମାନ ବିନା ଲକ୍ଷଣରେ ଭାଇରସ ଥିବା ଲୋକ ଆସୁଛନ୍ତି । ତେଣୁ ରେଡ ଫ୍ଲାଗ ଓ ଏବଂ ଅନ୍ୟ ରାଜ୍ୟ ମାନଙ୍କରୁ ଆସୁଥିବା ଲୋକଙ୍କ ରାନଡ଼ମ ଟେଷ୍ଟିଙ୍ଗ ହେବ ବୋଲି କୁହାଯାଇଛି ।
ଏଠି କହିରଖିବୁ, ନୂଆପଡ଼ା ଜିଲ୍ଲାରେ କୋଭିଡ଼ ସଂକ୍ରମଣ ଭୟଙ୍କର ରୂପ ନେଇଛି। ସିନାପାଲି ବ୍ଲକର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗାଁରୁ ନିଆଯାଇଥିବା ମୋଟ ୫୬ ସାମ୍ପଲ ମଧ୍ୟରୁ ୨୯ ଟି ପଜିଟିଭ ଆସିଛି । ଏନେଇ ସିନାପାଲୀ ବିଡିଓ ସୂଚନା ଦେଇଛନ୍ତି । ଗାଁଟି ଛତିଶଗଡ଼ ସୀମାକୁ ଲାଗିଥିବାରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ୨୯ ପଜିଟିଭ ଚିହ୍ନଟ ପରେ ଗାଁର ସମସ୍ତ ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି । ଗାଁର ଦୁଇ ପ୍ରବେଶ ପଥରେ ପୋଲିସ ମୁତୟନ କରାଯାଇଛି। ଆଜି ହେବାକୁ ଥିବା ସାପ୍ତାହିକ ହାଟ ବନ୍ଦ କରିଛନ୍ତି ସରପଞ୍ଚ ।