ପୁରୀ ହାଜତ ମୃତ୍ୟୁ ଅଭିଯୋଗ; ରାଜ୍ୟ ସରକାରଙ୍କୁ NHRCଙ୍କ ନୋଟିସ୍
ପୁରୀ: ପୁରୀ କେ.ରମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ NHRC ନୋଟିସ କରିଛନ୍ତି। ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ।
କେଉଁ କାରଣରୁ କେ. ରମେଶଙ୍କର ମୃତ୍ୟୁ ହେଲା ସେ ବିଷୟରେ ସବିଶେଷ ରିପୋର୍ଟ ସହିତ ଅଭିଯୋଗ ଏବଂ ଅଭିଯୁକ୍ତ ନାଁରେ ଦାୟର ହୋଇଥିବା ଏତଲା କପି ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ତା ସହିତ ଆରେଷ୍ଟ ମେମୋ ଓ ଇନ୍ସପେକ୍ସନ ମେମୋ କପି ସହିତ ଗିରଫ ନେଇ ପରିବାରକୁ ଜଣାଯାଇଥିଲା କି ନାହିଁ ସେ ବିଷୟରେ ବି ଜଣାଇବା ପାଇଁ କମିଶନ କହିଥିବା ବେଳେ ମୃତକଙ୍କ ମେଡିକାଲ ଲିଗାଲ ସାର୍ଟିଫିକେଟ କପି ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।
ଏହା ବାଦ୍ ପଞ୍ଚନାମା, ପୋଷ୍ଟମର୍ଟମ ଓ ଏହାର ଭିଡିଓ କ୍ୟାସେଟ, ଭିସେରା, ମୃତ୍ୟୁ କାରଣ ନେଇ ଫୋରେନ୍ସିକ୍ ରିପୋର୍ଟ ଓ ମାଜିଷ୍ଟେରିଆଲ ତଦନ୍ତ ରିପୋର୍ଟ ଦେବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି NHRC ।
ଆଜି ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ର। ତାଙ୍କ ଅପିଲକୁ NHRC ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହିତ ମାମଲାର ନିରପକ୍ଷ ତଦନ୍ତ ପ୍ରତିଶ୍ରୁତି ଦେଇଥିବା ସମ୍ବିତ କହିଥିଲେ। ଏହାର କିଛି ସମୟ ପରେ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ଜାତୀୟ ମାନବାଧିକାର କମିଶନ।