ସହରରେ ନୁହେଁ, ପଞ୍ଚାୟତ ହୋଇଥିବା ଶିଶୁ ଉଦ୍ୟାନକୁ ଦେଖି ଘଡ଼ିଏ ଅଟକି ଯାଉଛନ୍ତି ଲୋକେ

ରଙ୍ଗ ବେରଙ୍ଗର ଭଳିକି ଭଳି ଫୁଲ, ସୁନ୍ଦର ଭାବେ ସଜା ଯାଇଛି ଫୁଲ କୁଣ୍ଡ

ଆଳି(ବନମାଳୀ ସାହୁ): ଫୁଲକୁ ଦେଖି ଯେ କେହି ଖୁସି ହେବା ସ୍ୱାଭାବିକ। ଫୁଲର ସୌନ୍ଦର୍ଯ୍ୟ ସମସ୍ତଙ୍କ ମନପ୍ରାଣରେ ଅପୂର୍ବ ଆନନ୍ଦ ଭରିଦିଏ । ଆଉ ଶିଶୁ ଉଦ୍ୟାନରେ ବୁଲିବା ପାଇଁ କିଏ ବା ଭଲ ନପାଏ। ଅବସର ବିନୋଦନ ହେଉ ବା ଅବସାଦରୁ ମୁକ୍ତି। ଶିଶୁ ଉଦ୍ୟାନରେ ଟିକିଏ ବୁଲି ଆସିଲେ ସବୁ କ୍ଳାନ୍ତ ଆପଣା ଛାଏଁ ମେଣ୍ଟିଯାଏ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ବରୁଣା ପଂଚାୟତରେ ନିର୍ମିତ ହୋଇଥିବା ଶରତ ଦେବ ଶିଶୁ ଉଦ୍ୟାନର ଦୃଶ୍ୟ ଦେଖିଲେ ଯେକେହି ଘଡ଼ିଏ ଚାହିଁ ରହୁଛି । ଏଠାରେ ରହିଛି ରଙ୍ଗ ବେରଙ୍ଗର ଭଳିକି ଭଳି ଫୁଲ। ସୁନ୍ଦର ଭାବେ ସଜା ଯାଇଛି ଫୁଲ କୁଣ୍ଡ। ଦେଖିଲେ ଯେ କେହି ଘଡ଼ିଏ ଚାହିଁବ। ଘାସ ଗାଲିଚା ବି ବେଶ ଆକର୍ଷଣୀୟ ହୋଇଛି। ଏଥି ସହ ଛୋଟ ଛୋଟ ପିଲାମାନେ ଖେଳିବା ପାଇଁ ଦୋଳି, ଝୁଲଣା, ଚରକା ମଧ୍ୟ ଲାଗିଛି। ଆଉ ଏହାର ଭରପୂର ମଜା ନେଉଛନ୍ତି ପିଲାମାନେ। ଝିଅମାନେ ମଧ୍ୟ ବୁଲି ବୁଲି ସେଲ୍ଫି ଉଠାଉଛନ୍ତି। ଆଉ ଗାଁର ମହିଳା, ଯୁବକ, ବୃଦ୍ଧ, ବୃଦ୍ଧାମାନେ ଶିଶୁ ଉଦ୍ୟାନରେ ବସି ଖୁସି ଗପରେ ମଜି ଯାଉଛନ୍ତି।

ଶିଶୁ ଉଦ୍ୟାନଟି ତିଆରି ହୋଇଥିବା ସ୍ଥାନଟି ଦିନ ଥିଲା ଅନାବାଦୀ ଗୋଚର ଭାବେ ପଡି ରହିଥିଲା। ଗାଈ ଗୋରୁ ମରିଗଲେ ଲୋକ ମାନେ ସେଠାରେ ଫୋପାଡ଼ି ଦେଇ ଆସୁଥିଲେ। ହେଲେ ବରୁଣା ପଂଚାୟତର ସରପଞ୍ଚଙ୍କ ଉଦ୍ୟମ ଓ ରାଜକନିକା ବ୍ଲକ ପ୍ରଶାସନର ସହଯୋଗ ଫଳରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ ଗ୍ରାମ୍ୟ କର୍ମ ନିଯୁକ୍ତି ଯୋଜନାର ଅନୁଦାନରେ ନିର୍ମିତ କରିଛନ୍ତି ଶିଶୁ ଉଦ୍ୟାନ। ଆଉ ଏହି ଶିଶୁ ଉଦ୍ୟାନଟିକୁ ଆଳିର ସ୍ୱର୍ଗତ ରାଜା ସାହେବ ଶରତ ଦେବଙ୍କ ନାମରେ ନାମିତ କରାଯାଇଛି। ଏହି ଶିଶୁ ଉଦ୍ୟାନକୁ ଦେଖିବା ଓ ବୁଲିବା ପାଇଁ ବେଶ ଲୋକଙ୍କ ଭିଡ଼ ଜମୁଛି। ଏମିତିକି ପଂଚାୟତ ବାହାରର ଲୋକ ଏଠାକୁ ଆସି ବେଶ ଖିସି ଅନୁଭବ କରୁଛନ୍ତି।

You might also like