ଶାଶୂଘର ଯିବାବେଳେ କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ

ବିନିକା: ଗତକାଲି ହସଖୁସିରେ ଉଛୁଳି ପଡ଼ୁଥିଲା ଘର। ଘରେ ବନ୍ଧୁ ବାନ୍ଧବ, ଭୋଜିଭାତରେ କମ୍ପୁଥିଲା। ଧୁମ୍‌ଧାମରେ ସରିଲା ବାହାଘର। ପଡ଼ିଗଲା ହାତଗଣ୍ଠି। ଆଖିରେ ଆଖିଏ ସ୍ୱପ୍ନ ନେଇ ଝିଅ ବାହାରିଲା ଶାଶୂଘର। ଝିଅକୁ ବିଦା କରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାପା-ମା’। ତଥାପି ଦୁଃଖକୁ ମନରେ ଚାପି ଝିଅର ନୂଆ ସଂସାର ପାଇଁ ଠାକୁରଙ୍କ ପାଖେ ମଙ୍ଗଳ ମନାସୁ ଥିଲେ।  କିନ୍ତୁ ବାପା-ମା’ଙ୍କ ବିଚ୍ଛେଦ ସହି ପାରିଲାନି ଝିଅ। କାନ୍ଦ କାନ୍ଦି ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲା ଆଉ ଏକ ଅଫେରା ରାଇଜକୁ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ।

ବିନିକା ଥାନା ଜୁଲୁଣ୍ଡା ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ଗତକାଲି ଏହି ଗାଁର  ଝିଅ ରୋଜିଙ୍କ ବାହାଘର ଥିଲା ।  ବଲାଙ୍ଗିର ଜିଲ୍ଲା ତେତେଲ ଗାଁର ଯୁବକ ବିଶିକେସନଙ୍କୁ ବିବାହ କରୁଥିଲେ ରୋଜି। ରୀତି ରିବାଜ ଅନୁଯାୟୀ ବାହାଘର ହୋଇଥିଲା। ବାଜା ବଜାଇ ରୋଷଣୀ କରି ବରଯାତ୍ରୀ ଦଳ ଝିଅ ଘରେ ପହଞ୍ଚିଥିଲେ I ଅଗ୍ନିକୁ ସାକ୍ଷୀରଖି ବିଶିକେଶନ ଓ ରୋଜି ସାତ ଜନ୍ମର ସାଥି ହୋଇ ହୋଇଥିଲେ I

ଆଜି ସକାଳୁ ଶାଶୂ ଘରକୁ ବିଦା ହେବ ଝିଅ। ରୀତିନୀତି ସରିବା ପରେ ଆସିଥିଲା ସେହି ଦୁଃଖଦ ମୁହୂର୍ତ୍ତ- ଝିଅବିଦା । ବାପା-ମା’ କାନ୍ଦୁଥିଲେ। ଝିଅ ବି କାନ୍ଦୁଥିଲା। କାହାରି ଆଖିରୁ ଲୁହଝରିବା ବନ୍ଦ ନ ଥିଲା।

ହଠାତ୍‌ ଝିଅ ଅଚେତ ହୋଇ ପଡ଼ିଲା। ପାଣି ଛିଞ୍ଚାଛିଞ୍ଚି କଲେ। ହେଲେ ଚେତା ଫରି ନ ଥିଲା। ଚେତା ଫେରିବାରେ ବିଳମ୍ବ ହେବାରୁ ଡରିଗଲେ ପରିବାର ଲୋକ। ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ସାରା ଗାଁରେ ଖେଳି ଯାଇଛି ଶୋକର ଛାୟା। ଖବର ପାଇଁ ପୋଲିସ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ   ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି I ପୂର୍ବରୁ ରୋଜି ବାପାଙ୍କର ମଧ୍ୟ ହୃଦ୍‌ ଜନିତ ରୋଗରେ ମୃତ୍ୟୁ ହୋଇଥିବା ବେଳେ ରୋଜିର ମୃତ୍ୟୁ ବି ଏହି କାରଣରୁ ହୋଇଥିବା ଜଣାପଡିଛି I

You might also like