ଭୂତ କୋଠି ପାଲଟିଛି ମାଲକାନଗିରି ବିଏଡ୍ କଲେଜ

ଚକାଚକ୍ କୋଠା ତିଆରି କରି ଚୁପ୍‌ ବସିଯାଇଛନ୍ତି ସରକାର

ମାଲକାନଗିରି: ଭୂତ କୋଠି ପାଲଟିଛି ମାଲକାନଗିରି ବିଏଡ୍ କଲେଜ। ଚକାଚକ୍ କୋଠା ସିନା ତିଆରି ହୋଇଛି, କିନ୍ତୁ କଲେଜ ପାଇଁ ଯାହା ପ୍ରଥମେ ଦରକାର, ତାକୁ ବୋଧେ ସରକାର ଭୁଲି ଯାଇଛନ୍ତି। ବିଏଡ୍ କଲେଜ ପାଇଁ ଜରୁରୀ NCTE ର ଅନୁମୋଦନ ଏଯାଏ ମିଳି ନାହିଁ। ଯାହା ଫଳରେ ନବ ନିର୍ମିତ କୋଠାଟି କୌଣସି କାମରେ ଆସୁନାହିଁ।

ବିଏଡ୍ କଲେଜର କୋଠା ପୁରା ଚକାଚକ୍ ଦେଖାଯିବା ସହ ସୁନ୍ଦର କ୍ଲାସରୁମ୍, ପ୍ଲେ-ଗ୍ରାଉଣ୍ଡ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ୍ ପୃଥକ୍ ହଷ୍ଟେଲ୍, ଷ୍ଟାଫ୍ କ୍ୱାର୍ଟର ଭଳି ସୁବିଧା ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କଲେଜକୁ ୨୬ ଜୁଲାଇ ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ମାତ୍ର ଏ ପର୍ଯ୍ୟନ୍ତ କଲେଜଟି କାର୍ଯ୍ୟକ୍ଷମ ହୋଇପାରି ନାହିଁ।

ମାଲକାନଗିରିରେ ଆଗରୁ ବିଏଡ୍ କଲେଜ ନ ଥିଲା। ତେଣୁ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଯେପରି ବାହାରକୁ ଯିବାକୁ ନ ପଡ଼ିବ, ସେଥିପାଇଁ ଏକ ବିଏଡ୍ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କୋଠା ସିନା ତିଆରି ହୋଇଛି କିନ୍ତୁ, ବିଏଡ୍ କଲେଜ ପାଇଁ ଦିଲ୍ଲୀ NATIONAL COUNCIL FOR TEACHER EDUCATION, ବା NCTE ର ଅନୁମତି ଏଯାଏ ମିଳିନାହିଁ।

ବିଏଡ୍ କଲେଜ ପ୍ରତିଷ୍ଠା ପାଇଁ ପ୍ରଥମେ NCTE ର ଅନୁମୋଦନ ଦରକାର। କିନ୍ତୁ ଏହି ଅନୁମୋଦନ ପାଇଁ ଆଗ ଚେଷ୍ଟା ନକରି କେବଳ କୋଠା ତିଆରି କରି ସରକାର ଚୁପ୍ ବସିଛନ୍ତି।

 

 

You might also like