ମା’ କୋଳରୁ ହଜିଗଲା ୧୨ ଦିନର ଶିଶୁପୁତ୍ର
ଅନୁଗୁଳ: ମାଆ କୋଳରୁ ନିଖୋଜ ହୋଇଯାଇଛି ନବଜାତ ଶିଶୁ। ୧୨ ଦିନର ଶିଶୁକୁ ନ ପାଇ କାନ୍ଦି କାନ୍ଦି ଅଧୀର ହେଉଛନ୍ତି ମା’। ଅନେକ ଜାଗାରେ ଖୋଜିଲେଣି ବାପା-ମା’ । ଇତି ମଧ୍ୟରେ ଦୁଇ ଦିନ ବିତି ଗଲାଣି। କୁନି ପୁଅକୁ ପାଉ ନାହାନ୍ତି ବାପା-ମା’। ଘଟଣା ଘଟିଛି ଅନୁଗୋଳ ଜ଼ୀଲ୍ଲା ପାଲଲହଡ଼ା ଅଞ୍ଚଳରେ ।
ପାଲଲହଡା ଥାନା ଅନ୍ତର୍ଗତ ରଂଜଣା ଗ୍ରାମର ସୁମି ମୁଣ୍ଡା ଓ ତାଙ୍କ ସ୍ୱାମୀ ଶୁଶୀଲ ମୁଣ୍ଡା ୧୩ତାରିଖ ରାତିରେ ଶୋଇଥିଲେ। ପାଖରେ ଶୋଇଥିଲା ୧୨ ଦିନର ଶିଶୁପୁତ୍ର। ସମୟ ରାତି ପ୍ରାୟ ୧୧ ଟା ହେବ। ଉଭୟ ରାତିରେ ଉଠି ଦେଖିଲେ ନବଜାତ ଶିଶୁପୁତ୍ର ନାହିଁ। ଛୁଆକୁ ନପାଇ ବହୁତ ଖୋଜାଖୋଜି କରି ନିରାଶ ହୋଇଥିଲେ।
ଏ ନେଇ ନିଖୋଜ ନବଜାତକର ମା’ ସୁମୀ ମୁଣ୍ଡା ଗତକାଲି ପାଲଲହଡ଼ା ଥାନାରେ ଅଭିଯୋଗ କରି ଶିଶୁପୁତ୍ରକୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ତାଙ୍କର ଦୁଇ ସମ୍ପର୍କୀୟ ମହିଳା ଛୁଆଟିକୁ ଅପହରଣ କରି ନେଇଥିବା ସନ୍ଦେହ କରି ସୁମୀ ଓ ତାଙ୍କ ସ୍ୱାମୀ ବହୁ ଖୋଜାଖୋଜି କରିଥିଲେ। ହେଲେ ହତାଶ ହୋଇ ଶେଷରେ ପୋଲିସର ସହାୟତା ନେଇଛନ୍ତି ।
ଅଭିଯୋଗ ପାଇବା ପରେ ପାଲଲହଡା ପୋଲିସ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।