ନୂଆବର୍ଷକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା

ପୁରୀ : ନୂଆବର୍ଷକୁ ନେଇ ପୁରୀରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହୋଟେଲ ଗୁଡିକୁ ରଙ୍ଗିନ୍ ଆଲୋକ ମାଳାରେ ସଜାଯାଇଛି। ଡିସେମ୍ବର ୩୧ରେ ଜିରୋ ନାଇଟ୍ ସେଲିବ୍ରେସନ  ସହ ପର୍ଯ୍ୟଟକଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି।

ଏଥିପାଇଁ ହୋଟେଲ ଆସୋସିଏସନ୍ ତରଫରୁ ଏକ ସ୍ୱତନ୍ତ୍ର ଦର ମଧ୍ୟ ଧାର୍ଯ୍ୟ କରାଯାଇଛି। ସେପଟେ ନୂଆବର୍ଷରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଆଗରେ ବ୍ୟାରିକେଟିଂ କରାଯାଇଛି। ସେହିପରି ସହରରେ ପଚାଶ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେଥିମଧ୍ୟରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ପଚିଶରୁ ତିରିଶ ପ୍ଲାଟୁନ ଫୋର୍ସ ମୁତୟନ ହେବେ ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପନ୍ଦର ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ।

ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ଥାନେ ସ୍ଥାନେ ଲାଇଫଗାର୍ଡ ମୁତୟନ କରାଯିବ ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

You might also like