କନ୍ଧମାଳ: ରୋଷେଇ ଘରର ରାଜା ଆଳୁ। ଆମର ନିତିଦିନିଆ ଖାଦ୍ୟର ଆଳୁର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଣୁ ବର୍ଷତମାମ ଆଳୁର ଆବଶ୍ୟକତା ବି ପଡିଥାଏ। ରାଜ୍ୟରେ ଅଧିକ ଆଳୁ ଉତ୍ପାଦନ ହୋଇପାରୁ ନଥିବାରୁ  ବାହାର ରାଜ୍ୟରୁ ଆଳୁ ଆମଦାନୀ କରି ଶୀତଳ ଭଣ୍ଡାରରେ ସଂରକ୍ଷିତ କରନ୍ତି ବ୍ୟବସାୟୀ। କିନ୍ତୁ କନ୍ଧମାଳ ଜିଲ୍ଲାର ଚାଷୀମାନେ ଏପରି ଆଳୁ ଉତ୍ପାଦନ କରୁଛନ୍ତି, ଯାହାକି ବର୍ଷ ତମାମ ବିନା ଶୀତଳ ଭଣ୍ଡାରରେ ସତେଜ ରହିପାରିବ। ସାର ପ୍ରୟୋଗ ହେଉନଥିବାରୁ ଏହା ଦେହ ପାଇଁ ବି ବେଶ୍ ହିତକର। ବିନା ସାର, କୀଟନାଶକରେ ସଂପୂର୍ଣ୍ଣ ଦେଶୀ ପଦ୍ଧତିରେ ଏହି ଆଳୁ ଚାଷ କରାଯାଇଥାଏ।

କନ୍ଧମାଳ ଜିଲ୍ଲାର ବଲସକୁମ୍ପା ଅଂଚଳରେ ଏବେ ଆଳୁ ଅମଳରେ ଲାଗିପଡିଛନ୍ତି ଚାଷୀ। ସାଧାରଣ ଆଳୁ ପରି ଏହାର ଆକାର ନୁହେଁ,  ସ୍ଥାନୀୟ ଭାଷାରେ ଏହାକୁ ଦେଶୀ ଆଳୁ, ମାଳ ଆଳୁ ବା ଠୁରୀ ଆଳୁ କୁହାଯାଏ। ଆକାରରେ ଦେଖିବାକୁ ଛୋଟ, ମାଳ ଭଳି ଗୁନ୍ଥି ହୋଇରହିଥାଏ। ଏହାର ବିଶେଷତ୍ୱ ହେଉଛି, ଏହି ଆଳୁ ଶୀଘ୍ର ପଚେ ନାହିଁ। ଫଳରେ ଶୀତଳ ଭଣ୍ଡାରର ଆବଶ୍ୟକତା ପଡେ ନାହିଁ। ଖୋଲା ସ୍ଥାନରେ ବର୍ଷ ତମାମ ସତେଜ ରୁହେ ଠୁରୀ ଆଳୁ।  ପୁଣି ଏହି ଚାଷରେ କୌଣସି ସାର ପ୍ରୟୋଗ ହେଉନଥିବାରୁ ସ୍ୱାସ୍ଥ୍ୟ ପାଇଁ ବି ହିତକର। ଜିଲ୍ଲାରେ ବିଭିନ୍ନ ଅଂଚଳରେ ଚାଷୀମାନେ ଏହାକୁ କମ୍ ପରିମାଣରେ ଚାଷ କରି ନିଜେ ବର୍ଷସାରା ଖାଇବା ସହ ବିହନ ଭାବେ ସାଇତି ଥାନ୍ତି।

ବର୍ଷା ଦିନ ପରେ ପରେ ବିହନକୁ ଜମିରେ ବୁଣାଯାଏ ଏବଂ ଖରାଦିନ ଆସିଲେ ଆଳୁ ଖୋଳିଥାନ୍ତି ଚାଷୀ। ଜିଲ୍ଲାରେ ଏହି ଠୁରୀ ଆଳୁର ବେଶ୍ ଚାହିଦା ଥିବାବେଳେ ଉତ୍ପାଦନ କିନ୍ତୁ କମ୍। ତେବେ ସବୁଠାରୁ ବଡ଼ କଥା ହେଲା  ଏହି ଠୁରୀ ଆଳୁ କେବେ ବଜାରକୁ ଆସିବ ଓ ତାର ସ୍ୱାଦ ଚାଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଗ୍ରାହାକ ମାନେ ଚାହିଁ ବସିଥାନ୍ତି । ହେଲେ ସମସ୍ତଙ୍କୁ ଠୂରୀ ଆଳୁ ଯୋଗାଇବା ସହଜସାଧ୍ୟ ହୋଇପାରେନି।

ଏହି ଚାଷ ପାଇଁ କୌଣସି ସରକାରୀ ପ୍ରୋତ୍ସାହନ ନଥିବାରୁ ବ୍ୟବସାୟିକ ଭିତ୍ତିରେ ଚାଷ କରି ପାରୁନାହାନ୍ତି ଚାଷୀ।  ଏନେଇ ଜିଲ୍ଲା ଉଦ୍ୟାନ ଉପନିର୍ଦ୍ଦେଶକ କହିଛନ୍ତି, ଏହି ଠୁରୀ ଆଳୁ ଲାଭଜନକ ଫସଲରେ ଯାଉଛି। ମାତ୍ର ଏହା ସାର୍ଟିଫାଏଡ ସିଡ୍ ହୋଇନଥିବାରୁ ସରକାରୀ ସହାୟତା ଦିଆଯାଇପାରୁନି। ଓୟୁଏଟି ଏବଂ ନ୍ୟାସନାଲ ହର୍ଟିକଲଚର୍ ରିସର୍ଚ୍ଚ ଡେଭେଲପମେଣ୍ଟ ଫାଉଣ୍ଡେସନ ଦ୍ୱାରା ଏହାକୁ ସାର୍ଟିଫାଏଡ୍ ସିଡ୍ କରିବାକୁ ଉଦ୍ୟମ କରାଯାଉଛି।

Other Stories