ଗୋଟିଏ ପରେ ଗୋଟିଏ ମୋଡ଼ ନେଉଛି ନୟାଗଡ଼ ନାବାଳିକା ହତ୍ୟା ମାମଲା, ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ଗୋଟିଏ ପରେ ଗୋଟିଏ ମୋଡ଼ ନେଉଛି। ହାଇକୋର୍ଟଙ୍କ ଜଣେ ସିଟିଂ ଜଜ୍‌ଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ପ୍ରସଙ୍ଗରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ୍ ବଳରେ ସାମ୍ନାକୁ ଆସିଥିବା ଏହି ତଥ୍ୟଟି ହେଉଛି, କୋର୍ଟ ମନିଟର ଏସ୍‌ଆଇଟି ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିବେଦନକୁ ଡିସେମ୍ବର ୧ ତାରିଖରୁ ଅଗ୍ରାହ୍ୟ କରି ରାଜ୍ୟ ସରକାରଙ୍କୁ ଜଣାଇ ସାରିଛନ୍ତି ହାଇକୋର୍ଟ।

ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କ ଆବେଦନ ଆଧାରରେ ଗତ ଜାନୁଆରୀ ୬ ତାରିଖରେ ମିଳିଥିବା ତଥ୍ୟରେ କୁହାଯାଇଥିଲା ଯେ, ସିଟିଂ ଜଜ୍‌ଙ୍କ ଦ୍ୱାରା ଏସ୍‌ଆଇଟି ମନିଟରିଂ ସଂକ୍ରାନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ଚିଠି ହାଇକୋର୍ଟଙ୍କ ହସ୍ତଗତ ହୋଇନାହିଁ। ତେବେ ଗତ ୧୬ ତାରିଖରେ ସୂଚନା ଅଧିକାର କର୍ମୀଙ୍କ ପୂର୍ବ ଆବେଦନ ଉପରେ ପୁନର୍ବାର ହାଇକୋର୍ଟ ଜନସୂଚନା ଅଧିକାରୀଙ୍କ ପକ୍ଷରୁ ଆସିଥିବା ତଥ୍ୟରେ କୁହାଯାଇଛି ଯେ, ପୂର୍ବରୁ ଦିଆଯାଇଥିବା ତଥ୍ୟ ଅସଂପୂର୍ଣ୍ଣ ଥିଲା।

ରାଜ୍ୟ ସରକାର ନଭେମ୍ବର ୨୮ରେ କୋର୍ଟ ମନିଟରିଂ SIT ପାଇଁ ଯେଉଁ ଚିଠି ଲେଖିଥିଲେ, ଡିସେମ୍ବର ୧ ତାରିଖରୁ ହିଁ ସେଇ ଆବେଦନକୁ ଅଗ୍ରାହ୍ୟ କରି ଦିଆଯାଇଛି। ଏନେଇ ବଲାଙ୍ଗୀରରେ ପ୍ରେସ୍‌ମିଟ୍‌ କରି ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଏଇ ସୂଚନା ଦେବା ସହ ରାଜ୍ୟ ସରକାରଙ୍କ ଉପରେ ବି ବର୍ଷିଛନ୍ତି।

କୋର୍ଟ ମନିଟରିଂରେ ଏସ୍‌ଆଇଟି ତଦନ୍ତକୁ ହାଇକୋର୍ଟ ଅଗ୍ରାହ୍ୟ କରିବାର ଦେଢ଼ ମାସ ବିତିଥିଲେ ମଧ୍ୟ ସରକାର କାହିଁକି ଏପର୍ଯ୍ୟନ୍ତ ଏହାକୁ ସାର୍ବଜନୀନ କରି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୂଚନାଧିକାର କର୍ମୀ। RTI ତଥ୍ୟରୁ ହାଇକୋର୍ଟ ମନିଟରିଂ SIT ଦ୍ୱନ୍ଦ୍ୱର ଅବସାନ ଘଟିଛି। ତେଣୁ ଆବେଦନ ଅଗ୍ରାହ୍ୟ ପରେ ସରକାର ଉଚ୍ଚସ୍ତରୀୟ ତଦନ୍ତ ସୁପାରିସ କରିପାରିଥାନ୍ତେ ବୋଲି ସେ କହିଛନ୍ତି। ତେବେ ଏନେଇ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

You might also like