ନୂଆ ଟ୍ରାଫିକ୍‌ ନିୟମ ; ଟ୍ରକ୍ ଉପରେ ୬ ଲକ୍ଷ ୫୩ ହଜାର ଜରିମାନା !

ସମ୍ବଲପୁର (ସଂଜୟ ଜେନା) : ପୁରା ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ପରେ  ସବୁ ଛକ ଓ ଟ୍ରାଫିକ୍‌ ପୋଷ୍ଟରେ ନିୟମ କଡ଼ାକଡ଼ି ଲାଗୁ ହୋଇଛି। ମୋଟା ରକମର ଫାଇନ୍‌ ମଧ୍ୟ ଆଦାୟ ହେଉଛି । ସ୍କୁଟି ଠାରୁ ନେଇ ଅଟୋ ଓ ଟ୍ରକ୍‌ ଚାଳକ ସମସ୍ତେ ଜରିମାନା ଜାଲରେ ପଡିଛନ୍ତି । ଏବେ ଆଉ ଏକ ଖବର ଆସିଛି ଏହି ଜରିମାନା ଆଦାୟକୁ ନେଇ।

ଟ୍ରାଫିକ୍‌ ପରିବହନ ନିୟମ ଉଲ୍ଲଂଘନରେ କଟିଛି ସର୍ବାଧିକ ଚାଲାଣ। ଏକ ଟ୍ରକକୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜରିମାନା କରିଛି ପରିବହନ ବିଭାଗ। ସମ୍ବଲପୁରରେ ନାଗାଲାଣ୍ଡର ଏକ ଟ୍ରକକୁ ଏହି ବଡ଼ଧରଣର ଜରିମାନା ହୋଇଛି। ପରିବହନ ନିୟମର ଉଲ୍ଲଂଘନରେ ଏହି ଜରିମାନା ହୋଇଛି। ଏତେ ପରିମାଣର ଚାଲାଣ ଦେଶରେ ସର୍ବାଧିକ ବୋଲି ଜଣାପଡିଛି।

ଓଭର ଲୋଡିଂ ପାଇଁ ୬ ଲକ୍ଷ ୪୦ହଜାର ୫ଶହ ଟଙ୍କା ଫାଇନ। ମାଲବାହୀ ଟ୍ରକରେ ଯାତ୍ରୀ ଉଠାଇବା ଅଭିଯୋଗରେ ୫ ହଜାର ଟଙ୍କା, ପରମିଟ୍ ନଥିବାରୁ ୫ ହଜାର ଟଙ୍କା, ପଲ୍ୟୁସନ ସାର୍ଟିଫିକେଟ୍‌ ଲାଗି ୧ ହଜାର ଟଙ୍କା , ଇନସ୍ୟୁରାନ୍ସ ନଥିବା ଯୋଗୁଁ ୧୦୦୦ଟଙ୍କା ଏବଂ  ଟ୍ରାଫିକ ଆଇନ ଉଲ୍ଲଂଘନ ଅଭିଯୋଗରେ ୫ଶହ ଟଙ୍କା ଓ ସାଧାରଣ ଆଇନ ଉଲ୍ଲଂଘନ ଅଭିଯୋଗରେ ୧୦୦ ଟଙ୍କା ଫାଇନ ହୋଇଛି।

ଗତ ଅଗଷ୍ଟ ମାସ ୧୦ ତାରିଖରେ ଏହି ଚାଲାନ କଟିଥିଲା। ତେବେ ନୂଆ ମୋଟର ଯାନ ଆଇନ ଆସିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି।

You might also like