କେତେବେଳେ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ଏକମାତ୍ର ରାସ୍ତା ?

କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଖୁବଶୀଘ୍ର ଟିକାକରଣ ପାଇଁ ଦେଶରେ ଉପଲବ୍ଧ ହେବ ଋଷୀୟ ଟିକା ସ୍ଫୁଟନିକ୍ ଭି। ଏହି ଟିକାକୁ ଆଜି ଡିଜିସିଏର ଅନୁମୋଦନ ମିଳିଛି। ତେବେ ଏଭିତରେ କୋଭିଡ୍‌ର ନୂଆ ନୂଆ ଷ୍ଟ୍ରେନ୍ ସାଙ୍ଗକୁ ନୂଆ ନୂଆ ଲକ୍ଷଣକୁ ନେଇ ଚିନ୍ତା ବଢ଼ିଛି। ଟିକେ ବି ଅସାବଧନତା ବିପଦକୁ ଡାକିପାରେ। ତେବେ ଆସନ୍ତୁ ଦେଖିବା କିଭଳି ଲକ୍ଷଣ ପାଇଁ କି ପଦକ୍ଷେପ ନେବେ?

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହେବା ପରେ ମହାମାରୀର କେମିତି କରିବେ ମୁକାବିଲା? କେତେବେଳେ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ଏକମାତ୍ର ରାସ୍ତା? ବିଶେଷଜ୍ଞଙ୍କ ମତରେ ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କୁ ହସ୍ପିଟାଲ୍ ଯିବାର ଆବଶ୍ୟକତା ନାହିଁ।

  • ଯଦି ଆକ୍ରାନ୍ତଙ୍କୁ ସାଧାରଣ ଭାବେ କାଶ, ଗଳାଦରଜ, ଥକାପଣ, ହାଲ୍‌କା ମୁଣ୍ଡ ବିନ୍ଧା, ନାକରୁ ବୋହିବା ସାଙ୍ଗକୁ ଶ୍ୱାସକ୍ରିୟା ହାର ମିନିଟ୍‌କୁ ୧୨ରୁ ୧୫ ମଧ୍ୟରେ ରହି ୧୦୦ ଡିଗ୍ରୀ ଫାରେନାଇଟ୍ ଭିତରେ ଜ୍ୱର ରହୁଛି, ତାହେଲେ କେବଳ ସଙ୍ଗରୋଧରେ ରହି ଚିକିତ୍ସିତ ହେଲେ ଚଳିବ।
  • କିନ୍ତୁ କାଶ, ଗଳାଦରଜ ସହ ଯତି ଛାତିରେ ଯନ୍ତ୍ରଣା ହେଉଛି, ଅଧିକ ଅସୁସ୍ଥତା ଲାଗୁଛି, ଶ୍ୱାସକ୍ରିୟା ହାର ମିନିଟ୍‌ ୧୫ରୁ ୩୦ ପର୍ଯ୍ୟନ୍ତ ଯିବା ସହ ଶରୀରରେ ୧୦୦ରୁ ୧୦୧.୫ ଡିଗ୍ରୀ ଫାରେନ୍ ହିଟ୍ ପର୍ଯ୍ୟନ୍ତ ଜ୍ୱର ରହୁଛି ତାହେଲେ ରୋଗୀଙ୍କୁ କୋଭିଡ୍ ହେଲ୍ଥ ସେଣ୍ଟରରେ ରଖି ଚିକିତ୍ସା କରାଯିବା ଜରୁରୀ।
  • ତେବେ ଯଦି ରୋଗୀ ପାଖରେ ଗମ୍ଭୀର ଲକ୍ଷଣ ଯେମିତିକି ଛାତିରେ ଅତ୍ୟଧିକ ଯନ୍ତ୍ରଣା ହେବା,  ଜ୍ୱର ନିୟମିତ ୧୦୧.୫ ଡିଗ୍ରୀଠୁ ଅଧିକ ରହି, ରୋଗୀ ବାଉଳି ଚାଉଳି ହେବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଶ୍ୱାସ ପ୍ରଶ୍ୱାସ ହାର ମିନିଟ୍‌କୁ ୩୦ରୁ ଅଧିକ ରହୁଛି, ତାହେଲେ ଏକ୍ଷେତ୍ରରେ ଆଦୌ ଅବହେଳା ନକରି ରୋଗୀଙ୍କୁ କୋଭିଡ୍ ହସ୍ପିଟାଲ୍ ନେବା ଅତ୍ୟନ୍ତ ଜରୁରୀ।
  • ସେହିପରି କୋଭିଡ୍‌ର ନୂଆ ଷ୍ଟ୍ରେନ୍ ଯୋଗୁଁ ଅନେକଙ୍କ ଠାରେ ଝାଡ଼ା, ବାନ୍ତି, ଦେହହାତ କୁଣ୍ଡେଇ ହେବା ଭଲି ଲକ୍ଷଣ ଦେଖାଦେଉଥିବାରୁ ଏଥିପ୍ରତି ମଧ୍ୟ ସତର୍କ ରହିବା ଜରୁରୀ।

ଏପଟେ ଟିକାର ଅଭାବ ଅଭିଯୋଗ ଭିତରେ ଋଷିଆ ଟିକା ସ୍ପୁଟନିକ-ଭିକୁ ଭାରତରେ ବ୍ୟବହାର ଲାଗି ମଂଜୁରୀ ଦେଇଛି ଡିସିଜିଏ। ଭାରତର ୫ଟି ଫାର୍ମା କଂପାନୀ ଦ୍ୱାରା ଏହି ଟିକା ଉତ୍ପାଦନ ହେବ। ଚଳିତମାସ ଶେଷ ସୁଦ୍ଧା ଏହାକୁ ବ୍ୟବହାର କରାଯିବ। ସେପଟେ ପରିସ୍ଥିତିକୁ ଦେଖି ବିଦେଶରେ ନିର୍ମିତ ଅନ୍ୟ ସମସ୍ତ ଟିକାକୁ ଦେଶରେ ବ୍ୟବହାର ଲାଗି ଅନୁମତି ଦେବାକୁ ମଧ୍ୟ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।

ଦେଶରେ ଏବେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲଡ୍ ଓ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ବ୍ୟବହାର ଚାଲିଥିଲା ବେଳେ ସ୍ଫୁଟନିକ୍ ଟିକା ବହୁ ପରିମାଣରେ ଦେଶରେ ଟିକାର ଆବଶ୍ୟକତାକୁ ପୂରା କରିବା ଆଶା କରାଯାଉଛି।

You might also like