୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ; ହଟିବ ଏସବୁ କଟକଣା

ଭୁବନେଶ୍ୱର: ଏପ୍ରିଲ ୧୪ ତାରିଖ ରାତିରେ ଶେଷ ହେବ ୨୧ ଦିନିଆ ଲକ୍‌ଡାଉନ ଅବଧି। ହେଲେ ତା’ ପୂର୍ବରୁ ରାଜ୍ୟ ସରକାର ଳକ୍‌ଡାଉନ୍‌ ଅବଧି ଏପ୍ରିଲ ୩୦ ଯାଏ ପୁଣି ବଢାଇ ଦେଇଛନ୍ତି। ତେଣୁ ଏପ୍ରିଲ ୧୫ରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ କରାଯିବ ।

ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ବେଳେ କ’ଣ ଖୋଲା ରହିବ ? କ’ଣ ବନ୍ଦ ରହିବ ସେ ନେଇ ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା  ସୂଚନା ଦେଇଥିଲେ। ତାଙ୍କ ସୂଚନା ଅନୁଯାୟୀ କେଉଁ ସବୁ କାର୍ଯ୍ୟକୁ ଳକ୍‌ଡାଉନ୍‌ କଟକଣାରୁ ବାଦ୍ ଦିଆଯିବ, ଜାଣନ୍ତୁ।

ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ବେଳେ ପୂର୍ବଭଳି କଟକଣା ଜାରି ରହିଥିବା ବେଳେ କୃଷି ଓ କୃଷକମାନଙ୍କ ପାଇଁ କିଛି କୋହଳ କରାଯିବ।  ରବି ଫସଲ ଉତ୍ପାଦନ, ଖରିଫ ଫସଲ ଲାଗି ଜମି ପ୍ରସ୍ତୁତି ପାଇଁ ଅନୁମତି ଦିଆଯିବ । ଧାନ ବୁଣା, ତଳିପକା ପାଇଁ ଭୂମି ପ୍ରସ୍ତୁତି, ଜଳସେଚନ ପାଇଁ ଅନୁମତି ଦିଆଯିବ।

ସେହିପରି ଧାନଅମଳ ପାଇଁ କୌଣସି କଟକଣା ରହିବ ନାହିଁ । ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲା ରହିବ। ଗାଁରୁ ମଣ୍ଡି ଏବଂ ମଣ୍ଡିରୁ ଗାଁକୁ ଟ୍ରାକ୍ଟର ଚାଳିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ମାଛ, ମାଂସ, ଅଣ୍ଡା ଉତ୍ପାଦନ, ପରିବହନ ଓ ଯୋଗାଣ ପାଇଁ ଅନୁମତି ମିଳିବ । ରାସାୟନିକ ସାର ଓ ଶୀତଳଭଣ୍ଡାର କେନ୍ଦ୍ର ଗୁଡିକ ଖୋଲା ରହିବ ବୋଲି ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସମିଟ୍‌ରେ କହିଛନ୍ତି।

ସେହିପରି କୃଷି ସହ ପଶୁପାଳନ, ପଶୁଖାଦ୍ୟ ଉତ୍ପାଦନ, ପରିବହନ ଓ ଯୋଗାଣ ଚାଲୁ ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଆଦି ଦ୍ରବ୍ୟର ପରିବହନ ଚାଲୁ ରହିବ ପ୍ରାଣୀ ଚିକିତ୍ସାଳୟ ଓ ଟୀକାକରଣ କେନ୍ଦ୍ର ଖୋଲା ରହିବ। ପୋଖରୀ ମାଛ ଚାଷ, ମାଛ ଧରା, ସାମୁଦ୍ରିକ ମାଛ ଧରା ମଧ୍ୟ ଚାଲୁ ରହିବ।

ରାଜ୍ୟର ସବୁ ଗ୍ରାମାଞ୍ଚଳରେ ମନରେଗା କାର୍ଯ୍ୟକ୍ରମ ଜାରି ରହିବ। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ କାର୍ଯ୍ୟଚାଲୁ ରହିବ। ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିବ। ପାନୀୟ ଜଳ ଯୋଗାଣ, ନଳକୂପ ମରାମତି କାର୍ଯ୍ୟ ଚାଲୁ ରହିବ। କେନ୍ଦୁପତ୍ର ତୋଳା, କେନ୍ଦୁପତ୍ର ଫଡ଼ି କାର୍ଯ୍ୟକ୍ରମ ମଧ୍ୟ କରାଯାଇପାରିବ।

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ କାର୍ଯ୍ୟ କରାଯାଇପାରିବ।  ଇ-କମର୍ସ ଜରିଆରେ ସବୁ ଜିନିଷ ଏବେ ଘରକୁ ମଗାଇ ହେବ। ଏଥିସହ ଖାଦ୍ୟ ହୋମ ଡେଲିଭରି ଓ ଢାବା ମଧ୍ୟ ଚାଲୁ ରହିବ।  ତେବେ ଢାବାରେ ବସି ଖାଇପାରିବେ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି।

You might also like