ଦୁଇ ଗୁଣା ଟଙ୍କା ପାଇବା ଆଶାରେ ସବୁ ହରାଇଲେ ଅଧ୍ୟାପିକା

ଭୁବନେଶ୍ୱର: ୫ ଟଙ୍କାର ଥୋପ ପକାଇ, ସାଇବର୍ ଠକ ୧୯ ହଜାର ଟଙ୍କାର ଚୂନ ଲଗାଇଛନ୍ତି। OLXରେ ସାଢ଼େ ୯ ହଜାରର ଓ୍ୱାଶିଂ ମେସିନ ବିକିବାକୁ ଯାଇ, ଜଣେ ଅଧ୍ୟାପିକା ୨ଗୁଣା ଟଙ୍କା ହରାଇଛନ୍ତି। ସପ୍ତାହେ ତଳେ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିବା ଭୁବନେଶ୍ୱରର ରେଶ୍‌ମା ମହାପାତ୍ରଙ୍କ ପାଖକୁ ଗତକାଲି ଏକ କଲ୍ ଆସିଥିଲା। ସାଢ଼େ ୯ ହଜାର ଟଙ୍କାରେ ଓ୍ୱାଶିଂମେସିନ୍‌ଟିକୁ କିଣିବାକୁ ଚାହିଁଥିଲା। ଠକ କହିଥିଲା, ଟ୍ରାନ୍‌ଜାକ୍ସନ ସୁନିଶ୍ଚିତ କରିବାକୁ ପ୍ରଥମେ ଗୁଗୁଲ୍ ପେରୁ ୫ ଟଙ୍କା ପଠାନ୍ତୁ, ମୁଁ ୧୦ ଟଙ୍କା ପଠାଉଛି। ସତକୁ ସତ ସେଇଭଳି ହୋଇଥିଲା।

ଏହାପରେ କହିଥିଲା ସାଢ଼େ ୯ ହଜାର ଟଙ୍କା ପାଇବାକୁ ହେଲେ, ଠିକ୍ ପୂର୍ବ ଭଳି ପ୍ରଥମେ ଆପଣ ସେତିକି ଟଙ୍କା ପଠାନ୍ତୁ, ପରେ ମୁଁ ୨ଗୁଣ ଅର୍ଥାତ୍ ୧୯ ହଜାର ପଠାଇବି। ପୂର୍ବରୁ ଆକାଉଣ୍ଟରେ ୫ ଟଙ୍କା ପାଇ ବିଶ୍ୱାସର ଜାଲରେ ଛନ୍ଦି ହୋଇସାରିଥିବା ରେଶ୍‌ମା, ସ୍ୱାମୀଙ୍କ ଠାରୁ ସାଢ଼େ ୯ ହଜାର ଟଙ୍କା ଆଣି ଗୁଗୁଲ୍ ପେରେ ପଠାଇ ଦେଇଥିଲେ। ଏହାପରେ ଠକ ଆଉ ସାଢ଼େ ୯ ହଜାର ଟଙ୍କା ମାଗିଥିଲା। ଭରସା ଦେଇଥିଲା, ଓ୍ୱାଶିଂମେସିନ୍ ଦାମ୍ ସହ ସେହି ଟଙ୍କା ବି ଫେରସ୍ତ ଆସିଯିବ। ରେଶ୍‌ମା ଆଉ ସାଢ଼େ ୯ ହଜାର ପଠାଇଲେ, ହେଲେ କିଛି ଫେରସ୍ତ ଆସିଲାନି।

୫ ଟଙ୍କା ଥରେ ପଠାଇଲି। ସେମାନେ ୧୦ ଟଙ୍କା ପଠାଇଲେ। ଯେତେବେଳେ ମୁଁ ୯,୫୦୦ କଥା ଆସିଲା, ସେତେବେଳେ ସେମାନେ ୨ ଥର ପଠାବାକୁ କହିଥିଲେ। ମୁଁ ମୋ ସ୍ୱାମୀଙ୍କ ଆକାଉଣ୍ଟରୁ ଆଣି ଅତିରିକ୍ତ ପଇସା ଟ୍ରାଞ୍ଚାକ୍ସନ କଲି କିନ୍ତୁ ସେମାନେ ପୁଣି ୧୯୦୦୦ ଟଙ୍କା ମାଗିଲେ। ମୁଁ ଜାଣିପାରିଲି ଯେ ସେମାନେ ମୋତେ ଠକୁଛନ୍ତି। 
-ରେଶ୍‌ମା ମହାପାତ୍ର, ଅଭିଯୋଗକାରିଣୀ

ସେହିପରି ମଞ୍ଚେଶ୍ୱର ଅଞ୍ଚଳର ସୁଶାନ୍ତ ମହାନ୍ତି ସାଇବର ଠକଙ୍କ ଶିକାରରେ ଆସିଛନ୍ତି। ଗତ ଶନିବାର ସୁଶାନ୍ତ ସ୍ପିଡ୍ ପୋଷ୍ଟରେ ନାପ୍‌ଟୋଲ୍‌ରେ ସ୍କ୍ରାଚ୍ କାର୍ଡ ପାଇଥିଲେ ଓ ସେଥିରୁ ସାଢ଼େ ୭ ଲକ୍ଷ ଟଙ୍କା ଜିତିଥିବା ଜାଣି, ସେଠାରେ ଲେଖାଥିବା ହେଲ୍ପଲାଇନ ନମ୍ବରକୁ ଫୋନ୍ କରିଥିଲେ। ସୋମବାର, ଏହି ଟଙ୍କା ପାଇବାକୁ ୧ ପ୍ରତିଶତ ସର୍ଭିସ୍ ଟ୍ୟାକ୍ସ ବାବଦକୁ ସାଢ଼େ ୭ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ସେପଟୁ କୁହାଯାଇଥିଲା।

ସାଢ଼େ ୭ ଲକ୍ଷ ଜିତିବାର ଲୋଭରେ ଭଳି ଯାଇ ସୁଶାନ୍ତ ସେତକ ଟଙ୍କା ଗୁଗୁଲ୍ ପେରେ ପଠାଇଦେଲେ। ଏହାପରେ ଜିଏସ୍‌ଟି ବାବଦକୁ ଆଉ ସାଢ଼େ ୨୨ ହଜାର ଟଙ୍କା ମାଗିବାରୁ, ସୁଶାନ୍ତଙ୍କ ସନ୍ଦେହ ହୋଇଥିଲା ଓ ସେ ଟଙ୍କା ପଠାଇନଥିଲେ। ଏନେଇ ସେ କମିଶନରେଟ ପୋଲିସର ସାଇବର୍ ସେଲରେ ଅଭିଯୋଗ କରିଛନ୍ତି। ଏବେ ଓଡ଼ିଶା ସମେତ ପ୍ରାୟ ୧୦ଟି ରାଜ୍ୟର ସାଇବର ଲୁଟେରାଙ୍କ ଟାର୍ଗେଟ୍‌ରେ ଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।

You might also like