ଭୁବନେଶ୍ୱର: କରୋନା ପ୍ରଭାବ ସିନେମା ଶିଳ୍ପକୁ ଏକ ପ୍ରକାର ବନ୍ଦ କରି ଦେଇଥିବାବେଳେ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଛି ଏକ ନୂଆ ଫିଲ୍ମ। ଲକ୍ଡାଉନକୁ ନେଇ ତିଆରି ହୋଇଛି ଫିଲ୍ମର କାହାଣୀ। ଫିଲ୍ମର କୌଣସି ଟାଇଟଲ୍ ଦିଆଯାଇ ନାହିଁ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସବ୍ୟସାଚୀ, ତମନ୍ନା, ବବି ମିଶ୍ର ଏବଂ ପପୁ ପମ୍ପମ୍, ପ୍ରଦ୍ୟୁମ୍ନ ଲେଙ୍କା, ତୃପ୍ତି ସିହ୍ନା, ଜୀବନ ପଣ୍ଡା, ତ୍ରିଭୂବନ ପ୍ରମୁଖ ।
ପବିତ୍ର ରଥଯାତ୍ରା ଦିନ ଜୟଦେବ ବିହାରସ୍ଥିତ ହନୁମାନ ମନ୍ଦିରରେ ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।
ଲକ୍ଡାଉନ୍ବେଳେ ଅମାନିଆଙ୍କ କାର୍ଯ୍ୟକଳାପ ଓ ପୋଲିସ ସେମାନଙ୍କୁ କିପରି ସାବାଡ଼ କରୁଛି, କଳାବଜାରୀମାନଙ୍କ ଭୂମିକା, ଗାଁ ଗହଳିରେ ଗରିବଙ୍କୁ ମିଳୁଥିବା ସରକାରୀ ସହାୟତା, ମଧ୍ୟବିତ୍ତ କଳାକାରମାନଙ୍କ ଦୁଃଖ, ଏକୁଟିଆ ରହୁଥିବା ବୁଢାବୁଢିମାନଙ୍କ ଦୁରବସ୍ଥାକୁ କାହାଣୀରେ ସ୍ଥାନିତ କରିବା ପାଇଁ ଚେଷ୍ଟା କରାଯାଇଛି।
ଫିଲ୍ମର କାହାଣୀ, ସ୍କ୍ରିନ୍ ପ୍ଲେ, ଡାଇଲଗ୍ ଦେବିଦତ୍ତ ମହାନ୍ତି ଲେଖିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର। କୋରିଅଗ୍ରାଫର ଅମିତ୍ ନାୟକ, ଲାଇନ୍ ପ୍ରଡ୍ୟୁସର ଅଛନ୍ତି ଦେବିପ୍ରଭା ପାତ୍ର।