ସାଇବର ଅପରାଧ ରୋକିବାକୁ ହେବ ନୂଆ ସାଇବର ଥାନା

ଜୟପୁର: ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଇଣ୍ଟରନେଟ ବ୍ୟାଙ୍କିଂ ହେଉ କିମ୍ବା ୱେବସାଇଟରେ ଚିଟିଂ କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ଭିଜୁଆଲ ଭାଇରାଲ କରି ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଅପରାଧୀ। ଏସବୁକୁ ରୋକିବା ପାଇଁ ଦୃଢ ତଦନ୍ତ ବ୍ୟବସ୍ଥା ନଥିବାରୁ ଦୋଷୀ ଖସିଯାଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ତିନୋଟି ନୂଆ ସାଇବର ଥାନା ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଜୟପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଏହି ଥାନା ପ୍ରତିଷ୍ଠା କରାଯିବା ନେଇ ପୋଲିସ ଡିଜି ସୂଚନା ଦେବା ପରେ ଜନସାଧାରଣ ଏହାକୁ ସ୍ୱାଗତ କରିଛନ୍ତି।

ଦକ୍ଷିଣ ଓଡ଼ିଶାର ଜୟପୁରରେ ସାଇବର ଥାନା ପ୍ରତିଷ୍ଠା ହେଲେ ଏଠାରେ ତାଲିମ ପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତ କରି ସାଇବର ଅପରାଧ ରୋକିବା ସହ ଲୋକଙ୍କୁ ସଚେତନ କରାଯିବ ବୋଲି କୋରାପୁଟ ଏସପି କହିଛନ୍ତି।

କୋରାପୁଟ ଏସ୍‌ପି ଆହୁରି ମଧ୍ୟ କହିଛନ୍ତି, ସାଇବର ଅପରାଧ ରୋକିବାକୁ ହେଲେ ପ୍ରଥମେ ଜନସାଧାରଣ ସଚେତନ ହେବା ଆବଶ୍ୟକ। ଇଣ୍ଟରନେଟ ବ୍ୟାଙ୍କିଂ, ଇଣ୍ଟରନେଟ ବ୍ରାଉଜିଂ ବେଳେ ସତର୍କ ରହିବା ଦରକାର। ବିଶେଷ କରି ବରିଷ୍ଠ ନାଗରିକମାନେ ଅଧିକ ପରିମାଣରେ ସାଇବର ଠକେଇର ଶିକାର ହେଉଛନ୍ତି। ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ସାଇବର ଏକ୍ସପର୍ଟ ଦେଇଛନ୍ତି।
ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ୬ଟି ଜିଲ୍ଲାରେ ଗତ ଫେବୃଆରୀରୁ ବର୍ତ୍ତମାନ ସୁଦ୍ଧା ୪୩ଟି ସାଇବର ମାମଲା ରୁଜୁ ହୋଇଛି। ଏଥି ମଧ୍ୟରୁ କୋରାପୁଟ ଜିଲ୍ଲାରେ ୧୦ଟି ମାମଲା ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ୯, ନବରଙ୍ଗପୁରରେ ୬, ରାୟଗଡାରେ ୫, ନୂଆପଡାରେ ୮ ଓ କଳାହାଣ୍ଡିରେ ୫ଟି ମାମଲା ରୁଜୁ ହୋଇଛି ।

You might also like