ମେଡିକାଲରେ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା
ଡାକ୍ତର ନଥିବାରୁ ନର୍ସ କରାଇଥିଲେ ପ୍ରସବ
ସୋର : ନବଜାତ ଶିଶୁର ମୃତ୍ୟୁକୁ ନେଇ ବାଲେଶ୍ୱର ଜିଲ୍ଲାର ସୋର ମେଡିକାଲରେ ଉତ୍ତେଜନା। ସୋର ବ୍ଲକ୍ କମାଣପୁର ଗ୍ରାମର ଜୟନ୍ତୀ ଶଙ୍ଖୁଆଙ୍କୁ ପ୍ରସବ ପାଇଁ ଗତ ରାତିରେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ତେବେ ରାତିରେ କେହି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନଥିବାରୁ ନର୍ସମାନେ ପ୍ରସବ କରାଇଥିଲେ। କିନ୍ତୁ ପ୍ରସବ ପରେ ଏକ ମୃତ ଶିଶୁପୁତ୍ର ଜନ୍ମ ହୋଇଥିଲା। ଏହାପରେ ମେଡିକାଲରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ପରେ ସୋର ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।
ଏହି ଘଟଣାକୁ ନେଇ ଆଜି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମେଡିକାଲରେ ବିଭିନ୍ନ ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।