କମୁଛି ସଂକ୍ରମଣ : ଆଜି ରାଜ୍ୟରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ । ୬ ଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ସ୍ଥିର ରହିବା ପରେ ଆଜି ପଜିଟିଭ ସଂଖ୍ୟା ହ୍ରାସ ପାଇଥିବା ଦେଖାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟାରେ ଦ୍ୱିତୀୟରେ ଅଛି ସୁନ୍ଦରଗଡ ଜିଲ୍ଲା । ଦୁଇ ଜିଲ୍ଲା ରାଜ୍ୟର କରୋନା ସଂକ୍ରମଣର ପେଣ୍ଠସ୍ଥଳୀ ଭାବେ ଉଭା ହୋଇଛନ୍ତି। ସେହିପରି ଆଜି ଆଉ ୧୮ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୦୧୮, କଟକ ୬୪୧, ଅନୁଗୁଳରୁ ୫୨୬ ଝାରସୁଗୁଡ଼ାରୁ ୪୦୪, ନୂଆପଡ଼ାରୁ ୪୦୧, ଯାଜପୁରରୁ ୩୭୬, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରରୁ ୩୪୨, ବାଲେଶ୍ୱରରୁ ୩୧୪, ନବରଙ୍ଗପୁରରୁ ୩୦୨, ଗଞ୍ଜାମରୁ ୨୭୬, ବରଗଡ଼ରୁ ୨୭୦, ନୟାଗଡ଼ରୁ ୨୫୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝରରୁ ୨୪୪, କଳାହାଣ୍ଡିରୁ ୨୨୪, ମୟୂରଭଞ୍ଜରୁ ୧୯୯, ଜଗତସିଂହପୁରରୁ ୧୮୯, କୋରାପୁଟରୁ ୧୭୪, କେନ୍ଦ୍ରାପଡ଼ାରୁ ୧୫୮, ବୌଦ୍ଧରୁ ୧୫୨, ରାୟଗଡ଼ାରୁ ୧୪୮, ସୁବର୍ଣ୍ଣପୁରରୁ ୧୪୦, ଦେବଗଡ଼ରୁ ୧୨୫, ଗଜପତିରୁ ୧୧୧, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୧, ମାଲକାନଗିରିରୁ ୬୩ ଓ ଭଦ୍ରକ ଜିଲ୍ଲାରୁ ୫୨ ଜଣ ଓ ଷ୍ଟେଟ୍ ପୁଲରୁ ୨୮୦ ଜଣ ପଜିଟିଭ ବାହାରିଛନ୍ତି ।

ସେପଟେ ଗତକାଲି ଦିନକରେ ସୁସ୍ଥ ହୋଇଛନ୍ତି ୯୭୦୬ କରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୪ଲକ୍ଷ ୫୭ ହଜାର ୫୬୯କୁ ବୃଦ୍ଧି ପାଇଥିଲା । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଅନ୍ୟପଟେ କୋଭିଡ ସ୍ଥିତିକୁ ନେଇ ଆଜି ମଧ୍ୟ ଜାରି ରହିବ ଲକଡାଉନ କଟକଣା । ସକାଳ ୬ରୁ ଦିନ ୧୨ ଭିତରେ ଜରୁରୀ ସାମଗ୍ରୀ କିଣାକୁ ଅନୁମତି ରହିଛି । ଅନ୍ୟପଟେ ବିନା କାରଣରେ ବାହାରେ ବୁଲୁଥିବା ଅମାନିଆଙ୍କ ଉପରେ ପୋଲିସର କଡ଼ା ନଜର ରହିଛି । ଅମାନିଆଙ୍କୁ ସାବାଡ କରିବାକୁ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଓ କଟକରେ ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ପରିବା ଦୋକାନ, ସହ ମାଛ, ମାଂସ, ଅଣ୍ଡା, କ୍ଷୀର, ଫଳ ଓ କିରାଣି ଦୋକାନକୁ ବିକ୍ରି ଅନୁମତି ରହିଛି ।

You might also like