୪ ଦିନ ହେଲା ମୃତ୍ୟୁବରଣ କରି ସାରିଥିଲେ, ହେଲେ ପରିବାର ଲୋକଙ୍କୁ କହୁଥିଲେ ଚିକିତ୍ସା ଚାଲିଛି !

ବ୍ରହ୍ମପୁର: ମୃତ୍ୟୁ ପରେ ବି ଏହି ଖବର ପରିବାର ଲୋକଙ୍କୁ ଜଣାଯାଉ ନାହିଁ। ଏପରିକି ମୃତ୍ୟୁର ୪ ଦିନ ପରେ ମଧ୍ୟ ଚିକିତ୍ସା ଚାଲିଥିବା ନେଇ ପରିବାର ଲୋକଙ୍କୁ କୁହାଯାଉଛି। ଶେଷରେ ଭିଡିଓ କଲିଂରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କୁ ଦେଖିବାକୁ ପରିବାର ଲୋକେ କହିବାରୁ ଘଟଣା ସାମ୍ନାକୁ ଆସିଥିଲା। ଆଉ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ। ଗଞ୍ଜାମ ଜିଲ୍ଲାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣପତି ନଗରର ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏହି ଖବର ବିଳମ୍ବରେ ଜଣାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତ ୧୯ ତାରିଖରେ ଗଣପତି ନଗରର ବସନ୍ତ କୁମାର ସାହୁଙ୍କୁ ଚିକିତ୍ସାପାଇଁ ସିତଳାପଲ୍ଲୀ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରଠୁ ୨୪ ତାରିଖ ପର୍ଯ୍ୟନ୍ତ ପରିବାର ଲୋକ ତାଙ୍କ ସହ କଥାବାର୍ତ୍ତା କରୁଥିଲେ। କିନ୍ତୁ ସେଇ ଦିନ ଅର୍ଥାତ୍‌ ୨୪ ତାରିଖରୁ ବସନ୍ତଙ୍କ ସହ ଫୋନ୍‌ରେ ଆଉ କୌଣସି ଯୋଗାଯୋଗ ହୋଇପାରିଲାନାହିଁ ଓ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା। ଫଳରେ ପରିବାର ଲୋକ ହେଲ୍‌ପ୍‌ଲାଇନ୍‌ ନମ୍ବର ଯୋଗାଯୋଗ କରିଥିଲେ। ବସନ୍ତଙ୍କ ଚିକିତ୍ସା ଚାଲିଛି ବୋଲି ୨୭ ତାରିଖ ପର୍ଯ୍ୟନ୍ତ ହେଲ୍‌ପ୍‌ଲାଇନ୍‌ ପକ୍ଷରୁ କୁହାଯାଇଥିଲା। ତେବେ ୨୮ ତାରିଖରେ କୋଭିଡ୍‌ କେୟାର ସେଣ୍ଟରରୁ ବସନ୍ତଙ୍କ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଥିଲା ଯେ, ୨୪ ତାରିଖରୁ ବସନ୍ତଙ୍କର ମୃତ୍ୟୁ ହୋଇଛି।

ଏଠାରେ ପ୍ରଶ୍ନ ଉଠୁଛି, ଯଦି ୨୪ ତାରିଖରୁ ବସନ୍ତଙ୍କ ମୃତ୍ୟୁ ଘଟିଛି, ତା’ହେଲେ ୨୭ ତାରିଖ ପର୍ଯ୍ୟନ୍ତ ହେଲ୍‌ପ୍‌ଲାଇନ୍ ପକ୍ଷରୁ କେମିତି କୁହାଯାଇଥିଲା ଯେ, ତାଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପକ୍ଷରେ, ଏହି ଘଟଣା ପରେ ବ୍ରହ୍ମପୁରରେ କୋଭିଡ୍ ପରିଚାଳନାର ନଗ୍ନ ନମୁନା ଏବେ ସାମ୍ନାକୁ ଆସିଛି।

You might also like