ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ସଂକ୍ରମଣରେ ରୋକ୍ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ସ୍ୱତନ୍ତ୍ର ରିଲିଫ୍ କମିଶନର। ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ବସ୍, ରେଳ ବା ବିମାନରେ ଆସିଲେ ନେଗେଟିଭ ରିପୋର୍ଟ ଜରୁରୀ ବୋଲି ସେ କହିଛନ୍ତି। ଆସିବାର ୭୨ ଘଣ୍ଟା ମଧ୍ୟରେ RTPCR ନେଗେଟିଭ ରିପୋର୍ଟ ଜରୁରୀ। ଦୁଇ ଡୋଜ୍ ଟିକା ନେଇଥିଲେ ଓଡ଼ିଶା ପ୍ରବେଶକୁ ଅନୁମତି ମିଳିବ। ନେଗେଟିଭ ରିପୋର୍ଟ ନଥିଲେ ୭ ଦିନ କ୍ୱାରେଣ୍ଟିନ ରହିବାକୁ ପଡ଼ିବ। ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ୧୬ଟି ଜିଲ୍ଲାରେ ଅସ୍ଥାୟୀ ମେଡିକାଲ ସେଣ୍ଟର ବା TMC କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଛତିଶଗଡ଼କୁ ଟ୍ରେନ୍ ବନ୍ଦ ପାଇଁ ପ୍ରସ୍ତାବ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରେଳ ଯାତ୍ରୀଙ୍କ ପାଇଁ ଲାଗିବ କଟକଣା। ଆସନ୍ତା ୧୦ ତାରିଖ ଠାରୁ ଛତିଶଗଡ଼କୁ ସବୁ ପ୍ରକାର ଟ୍ରେନ୍ ବନ୍ଦ ରଖିବାକୁ କୁହାଯାଇଛି। ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସବୁ ଟ୍ରେନ୍ ବନ୍ଦ ରଖିବା ନେଇ ରେଲେୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଜଣାଇଛନ୍ତି ମୁଖ୍ୟ ସଚିବ। ସେହିପରି ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼କୁ ସମସ୍ତ ପ୍ରକାର ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବର୍ଡର ଚେକ୍‌ପୋଷ୍ଟ କଡ଼ା କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ନେଗେଟିଭ ରିପୋର୍ଟ ବା ଟିକା ସାର୍ଟିଫିକେଟ ନଥିଲେ ଚେକ୍‌ପୋଷ୍ଟ ଦେଇ ଆସୁଥିବା ଲୋକଙ୍କୁ ୭ ଦିନ କ୍ୱାରେଣ୍ଟିନ୍‌ ରଖିବାକୁ କୁହାଯାଇଛି।

ଛତିଶଗଡ଼ ଛୋଟ ରାଜ୍ୟ ହୋଇଥିଲେ ବି ସ୍ଥିତି ଚିନ୍ତାଜନକ ବୋଲି କହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଛତିଶଗଡ଼ରେ ସ୍ଥିତି ଦିନକୁ ଦିନ ସଂଗୀନ ହୋଇ ଚାଲିଛି। ଦେଶର ୬% ଆକ୍ରାନ୍ତ ଓ ୩% ମୃତକ ଏହି ଛୋଟ ରାଜ୍ୟର। ଦେଶରେ କୋଭିଡ୍ ମୃତ୍ୟୁର ୪.୫% ପଞ୍ଜାବର ବୋଲି ରାଜେଶ ଭୂଷଣ କହିଛନ୍ତି। ପଞ୍ଜାବ ତୁଳନାରେ ଦିଲ୍ଲୀ ଓ ହରିୟାଣାରେ କୋଭିଡ୍ ସ୍ଥିତି ଭଲ ରହିଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୫୧୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୩୬୧ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩୧ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୫୨୬ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍-୪,୮୮୮ ଥିବାବେଳେ ୩ ଲକ୍ଷ ୩୮ ହଜାର ୬୬୨ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି। 

 

You might also like