NEET, JEE Exams 2020: ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରିବାକୁ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ଓ ବନ୍ୟା ପରିସ୍ଥିତି ବେଳେ ଲୋକଙ୍କ ସହ ରହିବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି।

ଆଗକୁ ହେବାକୁ ଥିବା JEE, NEET ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି କରୁଛନ୍ତି। ତେଣୁ ପିଲାଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

‘ସବୁ ପିଲା ଆମ ପରିବାରର। ତେଣୁ ସେମାନଙ୍କ ସାଥିରେ ରୁହନ୍ତୁ ଓ ସେମାନଙ୍କୁ ସହଯୋଗ କରନ୍ତୁ। ଆପଣଙ୍କ ଅଞ୍ଚଳର ପିଲା ଯେମିତି ସୁବିଧାରେ ପରୀକ୍ଷା ଦେବେ, ଏନେଇ ସହଯୋଗ କରିବା ପାଇଁ’ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏହି ସମୟରେ ଲୋକଙ୍କ ସାଙ୍ଗରେ ରହିବା ସହ ବିଧାୟକ ପାଣ୍ଠିକୁ ଆଉ କୋଟିଏ ଟଙ୍କା ଅଧିକ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଅଧିକରୁ ଅଧିକ ମାସ୍କ କିଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କରୋନା ମୁକାବିଲାରେ ନିୟୋଜିତ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ କାମକୁ ପ୍ରଂଶସା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like