ମନ୍ତ୍ରୀ କହିଲେ ପରୀକୁ ହତ୍ୟା କରାଯାଇଛି; କ୍ରାଇମବ୍ରାଞ୍ଚ ତଦନ୍ତ କରିବ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିଷ୍ପତ୍ତି ନେଲେ ସରକାର।ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଦେଇଛନ୍ତି। ମାମଲାରେ ଏଯାବତ ୩୪ ଜଣଙ୍କୁ ଜେରା କରାଯାଛି ବୋଲି ଆଜି ସେ ଗୃହରେ ସେ ସୂଚନା ଦେଇଛନ୍ତି। ଏଥିସହିତ ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଗୃହରେ ଦେଇଥିବା ସୂଚନା ଅନୁସାରେ, ଯଦୁପୁରର ଅଶୋକ ସାହୁ ତାଙ୍କ ଝିଅ ନିଖୋଜ ଥିବା ଥାନାକୁ ଜଣାଇଥିଲେ। ଅଭିଯୋଗ ଅନୁସାରେ ଜୁଲାଇ ୧୪ରେ ମାମଲା ରୁଜୁ କରାଯାଇଥିଲା। VHF ବାର୍ତ୍ତା ଓ ସନ୍ଧାନୀ କୁକୁର ସାହାଯ୍ୟରେ ଝିଅକୁ ଖୋଜା ଯାଇଥିଲା। ଜୁଲାଇ ୨୩ରେ ଅଭିଯୋଗକାରୀ ଘର ପଛପଟୁ ଶବ ଠାବ କରିଥିଲେ ବୋଲି ଗୃହରେ ସୂଚନା ଦେଇଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ।

ସେ ଆହୁରି କହିଥିଲେ ଯେ ଅଖାରେ ବନ୍ଧା ପଚାସଢ଼ା ଶବ ଠାବ କରିଥିଲେ ଅଭିଯୋଗକାରୀ। ପାରିପାର୍ଶ୍ୱିକ ଅବସ୍ଥାରୁ ଝିଅକୁ ଅପହରଣ ପରେ ହତ୍ୟା ଜଣାପଡ଼ିଥିଲା। ଶବ ପଞ୍ଚନାମା ପରେ ପୋଷ୍ଟମର୍ଟମ ପାଇଁ କଟକ SCB ପଠାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଶବଟି ଏକ ୫/୬ ବର୍ଷ ଝିଅର ଜଣାପଡ଼ିଥିଲା। ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ହୋଇଛି କି ନାହିଁ ଜଣାପଡ଼ିନଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଶବ ନଷ୍ଟ ହୋଇଯାଇଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲା ବୋଲି ମନ୍ତ୍ରୀ କହିଛନ୍ତି। DNA ଟେଷ୍ଟ ପରେ ଶବଟି ଅଭିଯୋଗକାରୀଙ୍କ ଝିଅ ବୋଲି ଜଣାପଡ଼ିଥିଲା। ୪ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ ସହ ସନ୍ଦିଗ୍ଧଙ୍କ କଲ୍ ରେକର୍ଡ ଯାଞ୍ଚ ହୋଇଛି। ତଦନ୍ତ କାଳରେ ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରାଉଚରା ହୋଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

You might also like