ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ କାହିଁକି ସାବାଳକ ଦର୍ଶାଇଥିଲା SIT

ଭୁବନେଶ୍ୱର: ନୟାଗଡ଼ କୁନିଝିଅ ହତ୍ୟା ମାମଲାରେ SITକୁ ଶକ୍ତ ଝଟ୍‌କା। ଜନ୍ମ ପ୍ରମାଣପତ୍ର ଆଧାରରେ ନାବାଳକ ଥିବା ଅଭିଯୁକ୍ତକୁ ସାବାଳକ ଦର୍ଶାଇ ଅଡୁଆରେ ଏବେ ବୋଥ୍ରା ଆଣ୍ଡ୍ କୋ। ଯଦୁପୁର ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇଛନ୍ତି ପୋକ୍ସୋ କୋର୍ଟ। ଆଜି ନୟାଗଡ଼ ପୋକ୍ସୋ କୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ସଂପୃକ୍ତ ଅଭିଯୁକ୍ତକୁ ନାବାଳକ ବୋଲି ଗ୍ରହଣ କରିିଥିବା କହିଛନ୍ତି ଅଭିଯୁକ୍ତର ଓକିଲ।

ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଏବଂ ମାଟ୍ରିକ ସାର୍ଟିଫିକେଟ୍ ଦାଖଲ କରାଯାଇଥିଲା। ଉଭୟ ପ୍ରମାଣପତ୍ରରେ ଅଭିଯୁକ୍ତର ଜନ୍ମ ତାରିଖ ଫେବ୍ରୁୟାରୀ ୬, ୨୦୦୩ ଉଲ୍ଲେଖ ରହିଛି। ଅର୍ଥାତ SIT ଦ୍ୱାରା ଗିରଫ ନାବାଳକର ବୟସ ଅଦ୍ୟାବଧି ୧୭ ରହିଛି। ଦାଖଲ ହୋଇଥିବା ଏସବୁ ପ୍ରମାଣପତ୍ର ଆଧାରରେ ଆଜି ସଂପୃକ୍ତ ଅଭିଯୁକ୍ତକୁ ପୋକ୍ସୋ କୋର୍ଟ ନାବାଳକ ବୋଲି ଦର୍ଶାଇବା ସହ ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ SIT ପକ୍ଷରୁ ହୋଇଥିବା ଅପିଲ୍‌କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ପଠାଇ ଦେଇଛନ୍ତି।

ସମ୍ପୃକ୍ତ ନାବାଳକ ଅଭିଯୁକ୍ତ ଜଣକ ଜେଲ କଏଦୀ ଭଳି ରହିପାରିବେ ନାହିଁ। ସେ ସୁଧାର ଗୃହକୁ ଯିବେ। ଆସନ୍ତା ୮ ଟାରିଖରେ ଏସଆଇଟି ଆବେଦନ କରିଥିବା ନାର୍କୋ ଆନାଲିଟିକ୍ସ ଉପରେ କୋର୍ଟରେ ଶୁଣାଣି ହେବ।
-ପ୍ରଫୁଲ୍ଲ ଶତପଥୀ, ଅଭିଯୁକ୍ତର ଓକିଲ

ଡିସେମ୍ବର ୨୧, ୨୦୨୦। ଓସିଫିକେସନ୍ ଟେଷ୍ଟ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟରେ ହାଜର କରିଥିଲା SIT। ଫଳରେ କୋର୍ଟ ଅଭିଯୁକ୍ତକୁ ଜେଲ୍ ପଠାଇଦେଇଥିଲେ। ଅଭିଯୁକ୍ତ ବିରୋଧରେ ନାବାଳିକା ଦୁଷ୍କର୍ମ, ଅପହରଣ, ହତ୍ୟା ସହ ପ୍ରମାଣ ନଷ୍ଟ ସହ ପୋକ୍ସୋ ଆଇନର ଧାରା ୬ ଅନୁସାରେ ଦଫା ଲାଗିଥିଲା। ଏହି ସମୟରେ ଗିରଫ ଅଭିଯୁକ୍ତର ପରିବାର ଲୋକେ ବି SITର ସାବାଳକ ଥିଓରୀ ସହ ସହମତି ହୋଇନଥିଲେ।

ତେବେ କାହିଁକି ସାବାଳକ ବୋଲି ଦର୍ଶାଇଥିଲା SIT ? ଜନ୍ମପ୍ରମାଣ ପତ୍ର ଥାଇ ବି ଓସିଫିକେସନ୍‌ର କାହିଁକି ପଡ଼ିଲା ଆବଶ୍ୟକ ? ଏବେ ଏମିତି ନାନା ପ୍ରଶ୍ନ ଉଠିଥିବାବେଳେ ନୟାଗଡ଼ ପୋକ୍ସୋ କୋର୍ଟଙ୍କ ରାୟ ପରେ SIT ଏବେ ବିବାଦରେ। ଯଦି ଯେକୌଣସି ତଦନ୍ତକାରୀ ଟିମ୍ କିମ୍ବା ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଥାନ୍ତି, ତାହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶରେ ଦଣ୍ଡିତ ହୋଇପାରିବେ। ଏପରିକି ପରିବାର ଲୋକେ କୋର୍ଟ ଏବଂ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ କ୍ଷତିପୂରଣ ଦାବି କରିପାରିବେ ବୋଲି ଆଇନଜୀବୀ ମତ ଦେଇଛନ୍ତି।

ସେପଟେ ପୋକ୍ସୋ କୋର୍ଟଙ୍କ ନାବାଳକ ମନ୍ତବ୍ୟ ପରେ ବିଜେପି କହିଛି, ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବାକୁ ଯାଇ ଏସ୍‌ଆଇଟି ମୁଖ୍ୟ ସ୍କ୍ରିପଟେଡ୍ ଡ୍ରାମା କରିଥିଲେ ବୋଲି ପ୍ରମାଣିତ ହୋଇଛି। ତେଣୁ ଏସ୍ଆଇଟି ମୁଖ୍ୟଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବି କରିଛି ବିଜେପି। ସେହିପରି ନୟାଗଡ଼ କୁନିଝିଅକୁ ନ୍ୟାୟ ଦେବା ଲାଗି ବିଜେପି ମହିଳା ମୋର୍ଚ୍ଚା ଆଜିଠୁ ଆନ୍ଦୋଳନକୁ ତୀବ୍ର କରିଛି। ଆଜି ଭୁବନେଶ୍ୱରରେ ପଦଯାତ୍ରା କରିବା ସହ ଏଭଳି ପଦଯାତ୍ରା ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟବ୍ୟାପି ୧୦ ହଜାରଟି ସ୍ଥାନରେ କରାଯିବ। ଏହାପରେ ଜାନୁୟାରୀ ୧୨ରୁ ୧୫ ଯାଏଁ ଜିଲ୍ଲା ହେଡକ୍ୱାର୍ଟରରେ ବିକ୍ଷୋଭ କରାଯିବ କହିଛି ଦଳ।

ନୟାଗଡ଼ ନାବାଳିକା ହତ୍ୟା ମାମଲାର SIT ମୁଖ୍ୟ ତଦନ୍ତକୁ ଦିଗହରା କରିଛନ୍ତି। SIT ମୁଖ୍ୟଙ୍କୁ ନେଇ ଜନସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା। ୫୫୦୩ ନିଖୋଜ ଶିଶୁ ମାମଲା CBIକୁ ଦିଆଯାଉ। ଅରୁଣ ବୋଥ୍ରାଙ୍କ ବହିଷ୍କାର କରାଯାଉ।
-ସମୀର ମହାନ୍ତି, ବିଜେପି ସଭାପତି
ନାବାଳିକା ହତ୍ୟା ମାମଲାରେ SIT ତଦନ୍ତ ଓ ନାର୍କୋ ଟେଷ୍ଟ ନେଇ ବିଜେପି ପ୍ରଶ୍ନ କରିବା ହାସ୍ୟାସ୍ପଦ ଘଟଣା। ଏଭଳି ମନ୍ତବ୍ୟ ଦ୍ୱାରା ବିଜେପି ଉପରେ ରାଜ୍ୟବାସୀ ହସିବାକୁ ଲାଗିଲେଣି। ଏମିତି ମିଛ ପ୍ରଚାର ନକରି ପ୍ରମାଣ ଥିଲେ କୋର୍ଟ ଯାଆନ୍ତୁ। 
-ସୁଲତା ଦେଓ, ବିଜେଡି ମୁଖପାତ୍ର
You might also like