ନୟାଗଡ ନାବାଳିକା ହତ୍ୟା ଘଟଣା: ହାଇକୋର୍ଟରେ ପୁଣି ଏକ ମିସ୍‌ କେସ୍‌ ଦାୟର

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ଏହି ହତ୍ୟା ମାମଲା ନେଇ ହାଇକୋର୍ଟରେ ଆଉ ଏକ ମିସ୍ କେସ୍ ଦାୟର କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏଇ ମିସ୍ କେସ୍ ଦାୟର କରାଯାଇଥିବା ଜଣାଯାଇଛି।

ନାବଳିକା ନିଖୋଜ ଏବଂ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ବାପା-ମା’ ଆତ୍ମାହୁତି ଉଦ୍ୟମ କରିବା ପରେ ସରକାର ଏହାର SIT ତଦନ୍ତ କରିଥିଲେ। ତଦନ୍ତ ପରେ SIT ମୁଖ୍ୟ ଅରୁଣ ବୋଥ୍ରା ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ସମ୍ପୂର୍ଣ୍ଣ କାହାଣୀ ଶୁଣାଇଥିଲେ। ଏହି ଘଟଣାର ମୁଖ୍ୟ ନାୟକ ସରୋଜ ସେଠି ବୋଲି ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ କହିଥିଲେ  ଏବଂ ପୁରା ଘଟଣାକୁ ନେଇ ଏକ ସୁନ୍ଦର କାହାଣୀ ଶୁଣାଇଥିଲେ।

ସରୋଜ କିପରି ନାବାଳିକାକୁ ହତ୍ୟାକଲା, କାହିଁକି ହତ୍ୟା କଲା ଏକତରଫା ଭାବେ ସାମ୍ବାଦିକମାନଙ୍କ ଆଗରେ ବର୍ଣ୍ଣନା କଲେ SIT ମୁଖ୍ୟ ଅରୁଣ ବୋଥ୍ରା। ସାମ୍ବାଦିକମାନଙ୍କର ଅନେକ ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ, ତଦନ୍ତକୁ ନେଇ ଅନେକ ସମାଲୋଚନାର ଶରବ୍ୟ ହେଲେ। ତଥାପି ତଦନ୍ତରେ  ଏକ ବଡ ସଫଳତା ପାଇବା ପରି ଚୁପ୍‌ ବସିଗଲେ ସରକାର।

ହେଲେ ଏବେ ପୁଣି ଖୋଲିଛି ଏହି ନାବାଳିକା ନିଖୋଜ ଓ ହତ୍ୟା ଘଟଣାର ଫାଇଲ। ଭାରତୀୟ ବିକାଶ ପରିଷଦ ପକ୍ଷରୁ  ମିସ୍ କେସ୍ ଦାୟର କରାଯାଇ ଘଟଣାକୁ ପୁଣି ଥରେ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି।

ପରିଷଦ ଆବେଦନ କରିଛି, FIRରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରାଯାଉ ଏ‍‍ବଂ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ମାମଲାରେ ଆବେଦନ କରାଯାଇଛି।

ସୂଚନାଥାଉ କି, ସଂପୃକ୍ତ ନାବାଳିକା ନିଖୋଜ ହେବାର ୧୦ ଦିନ ପରେ ଘର ପଛପଟୁ ଏକ ଅଖା ଭିତରେ କିଛି ହାଡ଼, ଏକ ଫ୍ରକ୍ ଏବଂ  ଗୋଟିଏ ଜିଆଇ ତାର ଜବତ ହୋଇଥିଲା। ଏହାକୁ ଦୀର୍ଘ ଦିନ ପକାଇ ରଖିବା ପରେ କୋର୍ଟରେ ଦିଆଯାଇଥିଲା। ଏହାପରେ ସ୍ଥାନୀୟ ପୋଲିସ ଏସବୁକୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଥିଲା।

ଭୁବନେଶ୍ୱର ଫରେନ୍ସିକ୍ ଲାବ୍ରୋଟାରୀରେ ପରୀକ୍ଷଣ ପରେ ଗତ ୧୪ ତାରିଖରେ ରିପୋର୍ଟ ଆସିଥିଲା। ଏହାକୁ ଏକ ବଳାତ୍କାର ଓ ହତ୍ୟା ଘଟଣା ବୋଲି କୁହାଯାଇଥିଲା। ରିପୋର୍ଟରେ ଜବତ ଫ୍ରକ୍‌ରେ ସିମେନ୍ ଲାଗିଥିବା କୁହାଯାଇଥିଲା। ତେବେଏହି ସମେନ କାହାର ଚିହ୍ନଟ ହୋଇ ପାରି ନ ଥିଲା।  ସେହିପରି ଜବତ ହୋଇଥିବା ଝୋଟ ଅଖାରେ ମଧ୍ୟ ସିମେନ୍ କିମ୍ବା ବ୍ଲଡ୍ ଷ୍ଟେନ୍ ଚିହ୍ନଟ ହୋଇପାରି ନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଏପରି ସ୍ଥିତିରେ ଏହି ସିମେନ ସରୋଜ ସେଠୀର ବୋଲି SIT କିପରି ଜାଣିଲା ସେ ନେଇ ପ୍ରଶ୍ନ ଉଠିଥିଲା।

ଅନ୍ୟପକ୍ଷେ ଏସ୍‌ଆଇଟିର ତଦନ୍ତ ଉପରେ ଭରସା କରିପାରୁ ନାହାନ୍ତି ମୃତା ନାବାଳିକାର ବାପାମା। ଯେହେତୁ ଏସ୍‌ଆଇଟି ଟିମ୍‌ ଏଯାଏଁ କୌଣସି ଗୋଟିଏ ବି ପ୍ରମାଣକୁ ନାବାଳିକା ପରିବାର ଲୋକଙ୍କୁ ଦେଖାଉନି କି ସେମାନଙ୍କ ସନ୍ଦେହ ଘେରରେ ଥିବା ଲୋକଙ୍କୁ ଧରୁନି, ତେଣୁ ଏସଆଇଟି ଉପରୁ ଭରସା ତୁଟାଇ ସିବିଆଇ ତଦନ୍ତ ଦାବିରେ ଅଟଳ ଅଛନ୍ତି ନାବାଳିକାର ବାପା-ମାଆ।

ସରୋଜ ଦୋଷୀ ବୋଲି ପ୍ରମାଣ ସ୍ୱରୂପ ସରୋଜ ଘରୁ ଜବତ କରିଥିବା ରକ୍ତ ଭିଜା ଗାମୁଛା ଓ ସିମେନ୍ସ ଦାଗ ଥିବା ଫ୍ରକ୍ ଜବତ କିମ୍ବା ଗାଁ ପରିତ୍ୟକ୍ତ ପୋଖରୀରୁ ଖୋଜି ପାଇଥିବା ନାବାଳିକାର ଲେଗିନ୍ସ,ଏସବୁରୁ ଗୋଟିଏକୁ ବି ବିଶ୍ୱାସକୁ ନେଉ ନାହାନ୍ତି ନାବାଳିକାର ପରିବାର ବାପା-ମା।

ନାବାଳିକା ମାଆ ସୌଦାମିନୀ ବି  କହିଛନ୍ତି ଯେ ଏସଆଇଟି ଯେଉଁ ସବୁ ପ୍ରମାଣ ପାଇଥିବା କଥା କହୁଛି, ଏସବୁକୁ ତାଙ୍କୁ କେବେ ଦେଖାଯାଇ ନାହିଁ କି ଚିହ୍ନାଯାଇ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ସ୍ଥାନରୁ ନାବାଳିକାର ଲେଗିନ୍ସ ମିଳିଛି, ତାହା ଏକ ପରିତ୍ୟକ୍ତ ପୋଖରୀ, ଯେଉଁଥିରେ ବର୍ଷତମାମ ଗାଁ ଲୋକେ ଅଦରକାରୀ ଜିନିଷ ହିଁ ପିଙ୍ଗିଥାନ୍ତି। ଏଥିସହ ସେମାନେ ଅଙ୍ଗତସ୍କରୀ ପାଇଁ ଯାହାଙ୍କୁ ସବୁ ହତ୍ୟାକାରୀ ଭାବେ ସନ୍ଦେହ କରୁଛନ୍ତି, ସେମାନଙ୍କୁ ଏସଆଇଟି ଧରୁନାହିଁ। ତେଣୁ ତଦନ୍ତକାରୀ ସଂସ୍ଥା ଉପରେ ତାଙ୍କର ଟିକେ ବି ଭରସା ନାହିଁ। ତେଣୁ ପୁଣିଥରେ ଆଜି ଘଟଣାର ସିବିଆଇ ତଦନ୍ତ ଦାବିକୁ  ଦୋହରାଇଛନ୍ତି ମାଆ ସୌଦାମିନୀ।

You might also like