ପ୍ରେମ ଦିବସରେ ବିଶ୍ୱାସଘାତର କାହାଣୀ; ପ୍ରେମିକା ପାଇଁ ପତ୍ନୀକୁ ହତ୍ୟା କଲା ସ୍ୱାମୀ

ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ):  ପ୍ରେମିକା ପାଇଁ ପତ୍ନୀକୁ ହତ୍ୟା କଲା ସ୍ୱାମୀ। ସ୍ତ୍ରୀକୁ ମାରିବାକୁ ସୁପାରି କିଲର୍‌ଙ୍କ ସହିତ ୨ ଲକ୍ଷ ଟଙ୍କାର ଡିଲ୍ ଫାଇନାଲ କରିଥିଲା। ୨୦ ହଜାର ଆଡ୍‌ଭାନନ୍ସ ବି ଦେଇଥିଲା ସଇତାନ ସ୍ୱାମୀ। ଏହି ପତ୍ନୀ ହନ୍ତା ସ୍ୱାମୀ ହେଲା ଅକ୍ଷୟ ମହାପାତ୍ର। ଅନ୍ୟ ଏକ ଝିଅକୁ ଭଲ ପାଉଥିବାରୁ ସ୍ତ୍ରୀ ସସ୍ମିତା ମହାପାତ୍ରଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲା ଅକ୍ଷୟ। ସୁପାରି କିଲରଙ୍କ ସହ ମିଶି ହତ୍ୟ ଷଡ଼ଯନ୍ତ୍ର ରଚିଥିଲା।

ଜାନୁଆରି ୨୯ ତାରିଖ ରାତିରେ ନିଜ ଘରେ ଓଢ଼ଣୀ ସାହାଯ୍ୟରେ ସସ୍ମିତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଅକ୍ଷୟ। ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ବାଡ଼ିପଟ ଘରେ ସସ୍ମିତାଙ୍କ ଶାଢ଼ିରେ ହିଁ ତାଙ୍କୁ ଝୁଲାଇ ଦିଆଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ସାଇଣ୍ଟିଫିକ୍ ତଦନ୍ତ ଓ ସ୍ୱାମୀ ଅକ୍ଷୟକୁ ଜେରା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି।

ଏନେଇ ନୟାଗଡ଼ ଏସ୍‌ଡିପିଓ ଏସ୍‌ ଟପ୍ପୋ କହିଛନ୍ତି ଯେ ପତ୍ନୀ ସସ୍ମିତା ପାତ୍ର ତାଙ୍କ ସ୍ୱାମୀଙ୍କର ଅନ୍ୟ ଏକ ଝିଅ ସହିତ ସମ୍ପର୍କ ଥିବା ଜାଣିବା ପରେ ସେ ସ୍ୱମୀ ଅକ୍ଷୟକୁ ସବୁବେଳେ ବିରୋଧ କରୁଥିଲେ। ଫଳରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଶେଷରେ ଅକ୍ଷୟ ଭଡ଼ାଟିଆ ଗୁଣ୍ଡା ଲଗାଇ ଜାନୁଆରୀ ୨୯ ତାରିଖରେ ପତ୍ନୀ ସସ୍ମିତାଙ୍କୁ ହତ୍ୟା କରିଥିଲା ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ନୟାଗଡ଼ ଜିଲ୍ଲା ଶରଣକୁଳର ସୁଆର ସାହିର ଅକ୍ଷୟ ମହାପାତ୍ର ପ୍ରାୟ ୩ ବର୍ଷ ତଳେ ସସ୍ମିତାଙ୍କୁ ବାହା ହୋଇଥିଲେ। କିନ୍ତୁ ବିବାହର ବର୍ଷେ ପୂର୍ବରୁ ଆଉ ଜଣେ ଝିଅ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତେବେ ସେହି ପ୍ରେମିକା ପାଇଁ ପତ୍ନୀ ସସ୍ମିତାଙ୍କୁ ହତ୍ୟା କରିବାକୁ ପୂର୍ବରୁ ୨ ଥର ଚେଷ୍ଟା କରିଥିଲା ଅକ୍ଷୟ। ହେଲେ ସଫଳ ହୋଇନଥିଲା। ଶେଷରେ ୩ ସୁପାରି କିଲରଙ୍କ ସହାୟତା ନେଇ ଜାନୁଆରୀ ୨୯ ତାରିଖରେ ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ଅକ୍ଷୟ।

ଏହି ଘଟଣାରେ ପୂର୍ବ ଷଡ଼ଯନ୍ତ୍ରର ସାମିଲ ଥିବା ଜଣେ ଦୁର୍ବୃତ୍ତ ସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଆଜି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍ କରିବା ପାଇଁ ଅଭିଯୁକ୍ତମାନଙ୍କୁ ଧରି ଅକ୍ଷୟ ଘରକୁ ଯାଇଥିଲା ପୋଲିସ୍। ସେଠାରି ସିନ୍‌ ରିକ୍ରିଏସନ୍ ପରେ ଅଭିଯୁକ୍ତମାନେ ସବୁ ସତ ଓଗାଳିଛନ୍ତି।

ଏନେଇ ଅଭିଯୁକ୍ତ କହିଛି ଯେ ଅକ୍ଷୟ ସହିତ ତାଙ୍କ ପତ୍ନୀଙ୍କର ପଡ଼ୁନଥିଲା। ଏଥିପାଇଁ ସେ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଆମକୁ ପ୍ରଥମେ ୨୦ ହଜାର ଦେଇଥିଲେ। ପରେ ଦୁଇ ଲକ୍ଷ ସମ୍ପୂର୍ଣ୍ଣ ଦେବେ ବୋଲି କହିଥିଲେ ଅକ୍ଷୟ ଭାଇ। ଷାଡ଼ିରେ ଚଣ୍ଟି ଚିପି ମାରି ବାଡ଼ିପଟେ ଆଣି ଟଙ୍ଗାଇ ଦେଇଥିଲେ ବୋଲି ଅଭିଯୁକ୍ତ କହିଛି।

ଘଟଣା ସମ୍ପର୍କରେ ନୟାଗଡ଼ ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି ଯେ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତ ସାମିଲ ଥିଲେ। ପ୍ରଥମେ ଭାଗିରଥି ମହାରାଣାଙ୍କୁ ୫ ହଜାର ଦେଇଥିଲେ ଅଭିଯୁକ୍ତ ସ୍ୱାମୀ। ଭାଗିରଥିଙ୍କ ସହିତ ଥିଲା ଜିତୁ ଓ ତୁଫାନ୍।‌ ଏହା ପୂର୍ବରୁ ମନୋଜ କୁମାର ପ୍ରଧାନର ସହୟତାରେ ଗାଡ଼ି ଚଢେଇ ମାରିବା ପାଇଁ ଯୋଜନା କରିଥିଲା ସ୍ୱାମୀ ଅକ୍ଷୟ। ବର୍ତ୍ତମାନ ଏ ସମସ୍ତଙ୍କୁ ଗରିଫ କରାଯାଇଛି ବୋଲି ଏସ୍‌ପି କହିଛନ୍ତି।

 

 

You might also like