ବିଭତ୍ସ ହତ୍ୟାକାଣ୍ଡ ଘଟାଇଲେ ମାଓବାଦୀ : ୨ ଜଣଙ୍କୁ ଘରୁ ଡାକି ନେଇ ନିର୍ମମ ହତ୍ୟା

ବାଲିଗୁଡ଼ା(ଅଜିତ ଦାସ): କନ୍ଧମାଳରେ ବର୍ବରକାଣ୍ଡ ଘଟାଇଲେ ମାଓବାଦୀ। ବେଲଘର ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ଗାଁରେ ପଶି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି। ଭଣ୍ଡରଙ୍ଗି ପଞ୍ଚାୟତ ଅଫିସ ପାଖରେ ଗୋଟିଏ ମୃତଦେହ ପଡିଥିବା ବେଳେ ଆଉ ଗୋଟିଏ ମୃତଦେହ ଗୁଛାଗୁଡ଼ା ଗାଁ ପାଖରେ ପଡ଼ି ରହିଛି। ହତ୍ୟାକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡିଯାଇଛନ୍ତି। ତେବେ ଘଂଚ ଜଙ୍ଗଲ ମଧ୍ୟରେ ମୃତଦେହ ପଡିଥିବାରୁ ପୋଲିସ ସେଠାରେ ପହଞ୍ଚି ପାରିନାହିଁ।

ପୁଲିସ୍‌ର ଜୋରଦାର କମ୍ବିଂ ଅପରେସନ ଯୋଗୁ ଦୀର୍ଘ ଦିନ ହେଲା ଚୁପ୍‌ ହୋଇ ରହିଥିବା ନକ୍ସଲ ପୁଣିଥରେ ମାତିଛନ୍ତି।ସୂଚନା ଅନୁସାରେ ଗତକାଲି ରାତିରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକର ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତରେ  ୨୦ରୁ ୩୦ସଶସ୍ତ୍ର ମାଓବାଦୀ ଗାଁରେ ପଶିଥିଲେ। ଏବଂ ମୃତକ ଭବାନି ଓ ହେମନ୍ତଙ୍କୁ ଘରୁ ଡାକି ନେଇଥିଲେ।  ଜଣଙ୍କର ହାତ ଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ଆଉ ଜଣକୁ ଘରୁ ଟାଣି ଆଣି ହତ୍ୟା କରିଥିବା ଜଣାପଡ଼ିଛି।

ପୁଲିସ ଇନଫର୍ମର ସନ୍ଦେହ କରି ଉଭୟଙ୍କୁ  ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ଏହି ବର୍ବରକାଣ୍ଡ ଘଟିବା ପରେ ମାଓବାଦୀମାନେ ମୃତଦେହ ପାଖରେ ପୋଷ୍ଟର ମଧ୍ୟ ଛାଡି ଯାଇଛନ୍ତି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଭୟରେ ଘରୁ ବାହାରୁ ନାହାନ୍ତି ସ୍ଥାନୀୟ ବାସିନ୍ଦା।

You might also like