ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର : ସ୍ମାର୍ଟସିଟିରେ ଦେଖାଦେଉଥିବା କୁତ୍ରିମ ବନ୍ୟା ପାଇଁ କେନ୍ଦ୍ର ଦାୟୀ । ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ସିଧାସଳଖ ଦାୟୀ କରି ବିହିତ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଅାଉ ଏପଟେ ଛବି ସୁଧାରିବାକୁ ୭ଟି ନୂଅା ଡ୍ରେନ୍ ନିର୍ମାଣ ନାଁରେ ଅାଉ ଏକ ଫନ୍ଦି ବାହାର କରିଛି ବିଏମ୍ସି। ତେବେ ଏହି ୭ଟି ଡ୍ରେନ୍ କେତେ ସହାୟକ ହେବ, ତାକୁ ନେଇ ଛିଡ଼ା ହୋଇଛି ପ୍ରଶ୍ନବାଚୀ।
ଉବୁଟୁବୁ ସ୍ମାର୍ଟସିଟି। ଭୁବନେଶ୍ୱର ନୟାପଲ୍ଲୀର ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା ହେଉ କି ଜୟଦେବ ବିହାର ଅବା ପୁରୁଣା ଭୁବନେଶ୍ୱର ସବୁଠି ଖାଲି ପାଣି ଅାଉ ପାଣି। ରାଜଧାନୀରେ ଥିବା ୧୨ଟି ଯାକ ମୁଖ୍ୟ ଡ୍ରେନ୍ ସତେ ଯେମିତି ଅଚଳ ହୋଇପଡେ।
ବର୍ଷା ଅାସିଲେ ରାସ୍ତା ତ ରାସ୍ତା, ଘର ଭିତରେ ବି ସୃଷ୍ଟି ହୁଏ କୁତ୍ରିମ ବନ୍ୟାର ସ୍ଥିତି। ଅାଉ ବର୍ଷା ଅାସିଲେ ତତ୍ପର ହୋଇପଡନ୍ତି ବିଏମସି ଅଧିକାରୀ। ପମ୍ପ ଲଗାଯାଇ ସଙ୍ଗେ ସଙ୍ଗେ ଜଳ ନିଷ୍କାସନ କରାଯାଏ। ପ୍ରସ୍ତୁତ ହୁଏ ନୂଅା ରୋଡମ୍ୟାପ୍। ସବୁଥର ବିଏମସି କହେ ଖୁବ୍ଶୀଘ୍ର ହେବ ସ୍ଥାୟୀ ସମାଧାନ। ଅାଉ ଅାଜି ବି ମିଳିଛି ସେହି ସମାନ ଉତ୍ତର।
ରାଜଧାନୀର ଏହି ନିତିଦିନିଅା ସମସ୍ୟା ପାଇଁ ଜାତୀୟ ରାଜପଥ ପର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ। ସିଧାସଳଖ ଏନ୍ଏଚ୍ଏଅାଇ ନାଁରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଫେରାଦ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ NHAI ରାସ୍ତା, ଓଭରବ୍ରିଜ୍ କରିଥିଲେ ବି ଜଳ ନିଷ୍କାସନ ବ୍ୟବସ୍ଥା କରିନି । ଇସ୍କନ ସାମ୍ନା, ଜୟଦେବ ବିହାର, ଅାଚାର୍ଯ୍ୟ ବିହାରରେ ପାଣି ଜମୁଛି। ତୁରନ୍ତ ସାଇଡ୍ ଡ୍ରେନ ଏବଂ ସର୍ଭିସ ଲେନ୍ ବ୍ୟବସ୍ଥା କରିବାକୁ ନବୀନ, ଗଡ଼କରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି।