ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନାସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। କରୋନା ମୁକାବିଲା ପାଇଁ ସମସ୍ତ  ଘରୋଇ ଓ ସରକାରୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ‌ ନିଜ ଜୀବନକୁ ବାଜି ଲଗେଇ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ ଏଇ ଯୋଦ୍ଧା ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି।

କରୋନା ଯୁଦ୍ଧର ପ୍ରକୃତ ସୈନିକ ହେଉଛନ୍ତି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ। କରୋନା ରୋଗୀଙ୍କ ଚିକିତ୍ସା ବେଳେ ଯଦି କୌଣସି ଘରୋଇ ବା ସରକାରୀ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କର ମୃତ୍ୟୁ ଘଟେ ତେବେ ସେମାନଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ମିଳିବ। ଏଥି ସହିତ ଅବସର ଯାଏ  ସେମାନଙ୍କ ପରିବାରକୁ ପୂରା ଦରମା ମିଳିବ।

ସେତିକି ନୁହେଁ, ଚିକିତ୍ସାବେଳେ କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଲେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସେମାନଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅନବଦ୍ୟ ତ୍ୟାଗ ପାଇଁ ପୁରସ୍କାର ସ୍କିମ କରାଯିବ ବୋଲି ସେ କହିଛନ୍ତି।

କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଯଦି କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ପ୍ରାଣ ହରାନ୍ତି, ତା’ହେଲେ ସେମାନଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। କେନ୍ଦ୍ରର ଏହି ଅଭିଯାନରେ ଓଡ଼ିଶା ସରକାର ସାମିଲ ହୋଇ ପ୍ରାଣ ହରାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏ ପୂର୍ଣ୍ଣ ଦରମା ଦେବେ ବୋଲି କହିଛନ୍ତି।

ଏଥି ସହିତ  ଡାକ୍ତରଙ୍କୁ ଆକ୍ରମଣ ନେଇ ଚରମ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ଆକ୍ରମଣ ରାଜ୍ୟ ପ୍ରତି ଆକ୍ରମଣ ସଦୃଶ।  ଡାକ୍ତରଙ୍କୁ ଆକ୍ରମଣ କଲେ, କାର୍ଯ୍ୟରେ ବାଧା ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଡାକ୍ତରଙ୍କ ପ୍ରତି ଆକ୍ରମଣକାରୀଙ୍କ ବିରୋଧରେ NSA ଲାଗୁ ହେବ ବୋଲି ସେ ଚେତବାନୀ ଦେଇଛନ୍ତି।

 

You might also like