ନେତାଜୀ ବସ୍ ଟର୍ମିନାଲ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ:ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ତାଙ୍କ ଜନ୍ମମାଟି କଟକର ଓଡିଆ ବଜାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇ ସେଠାରେ ନେତାଜୀଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ନେତାଜୀଙ୍କ ନେତୃତ୍ୱ ସ୍ୱାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହି ଅବସରରେ ଆଜି କଟକରେ ନେତାଜୀ ବସ୍ ଟର୍ମିନାଲ୍‌ର ଶିଳାନ୍ୟାସ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟର୍ମିନାଲ୍ କାର୍ଯ୍ୟର  ଶିଳାନ୍ୟାସ କରିଛନ୍ତି। ଆଜି କଟକ ଖାନନଗର ଅଞ୍ଚଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଟର୍ମିନାଲର ଶିଳାନ୍ୟାସ୍ କରିଛନ୍ତି।

ଖାନ୍‌ନଗରରେ ୧୨ ଏକର ଜାଗାରେ ଏହି ବସ୍ ଟର୍ମିନାଲ ନିର୍ମାଣ ହେବ। ଏଥିପାଇଁ ୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଟର୍ମିନାଲରେ ନେତାଜୀଙ୍କ ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କିଓସ୍କ ବ୍ୟବସ୍ଥା ରହିବ ଏବଂ ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୀବନୀ ସଂପର୍କିତ ଫଟୋ ଚିତ୍ର ସ୍ଥାନ ପାଇବ।

ବାଦାମବାଡ଼ି  ବସ୍‌ଷ୍ଟାଣ୍ଡରେ ଜନଗହଳି ବୃଦ୍ଧି ପାଉଥିବାରୁ ଖାନନଗରରେ ଏହି ବସ୍ ଟର୍ମିନାଲ ପ୍ରତିଷ୍ଠା ପାଇଁ ପରିକଳ୍ପନା ହୋଇଛି। ୧ ଲକ୍ଷ ୧୮ ହଜାର ବର୍ଗଫୁଟରେ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍ଡିଂ ନିର୍ମାଣ ହେବ ଏବଂ ଏକ ସମୟରେ ୧୮୦ଟି ବସ୍ ପାର୍କିଂ କରିପାରିବ।
ସେପଟେ ନେତାଜୀଙ୍କ ଜନ୍ମ ଦିବସର ଅବସରରେ ତାଙ୍କ ତାଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ସେଠାରେ ନେତାଜୀଙ୍କ ଝିଅଙ୍କ ବିରଳ ଫଟୋଚିତ୍ର ସ୍ଥାନ ପାଇବା ସହ ତାଙ୍କ ଜୀବନକୁ ଆଧାର କରି ଚିତ୍ରକଳା ପ୍ରଦର୍ଶିତ ହୋଇଛି ।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ମୋଦି ଆଜିର ଦିନକୁ ପରାକ୍ରମ ଦିବସ ଭାବେ ନାମିତ କରିଛନ୍ତି।

 

You might also like