ଗାନ୍ଧିଜୀଙ୍କ ହୃଦୟରେ ଓଡ଼ିଶାର ସ୍ଥାନ ଥିଲା ସ୍ୱତନ୍ତ୍ର : ଗାନ୍ଧିଜୀ

ଗାନ୍ଧୀ ମୟ ବିଧାନସଭା

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରଥମ ଓଡ଼ିଶା ଆଗମନକୁ ଆଜି ପୁରିଛି ଶହେ ବର୍ଷ। ଏହି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହୋଇଛି। ଆଲୋଚନାରେ ଅଂଶଗ୍ରହଣ କରି ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ନେଇ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାନ୍ଧିଜୀଙ୍କ ହୃଦୟରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର ଥିଲା ବୋଲି ନବୀନ କହିଛନ୍ତି। ଓଡ଼ିଶାକୁ ଗାନ୍ଧିଜୀ ମୋଟ ୮ ଥର ଆସିଥିଲେ। ଓଡ଼ିଶା ଆଗମନରେ ସେ ଅନେକ ଜାଗା ବୁଲିଥିଲେ। ଏମିତି କି ଅନେକ ପଦଯାତ୍ରା କରି ଗାନ୍ଧିଜୀ ଓଡ଼ିଶା ଲୋକଙ୍କ ହୃଦୟର ନିକଟତର ହୋଇଥିଲେ ବୋଲି ନବୀନ କହିଛନ୍ତି। ପଦଯାତ୍ରା ବେଳେ ବିଭିନ୍ନ ସାମାଜିକ ସମସ୍ୟା ନେଇ ସେ ଲୋକଙ୍କୁ ବୁଝାଉଥିଲେ ଗାନ୍ଧି। ଗାନ୍ଧିଙ୍କ ଦର୍ଶନ ଏବଂ ବାର୍ତ୍ତା ଏ ଦେଶ ତରଫରୁ ବିଶ୍ୱକୁ ଶ୍ରେଷ୍ଠ ଦାନ ବୋଲି ନବୀନ କହିଛନ୍ତି।

ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ଆଜି ଶତବାର୍ଷିକୀ ଉତ୍ସବ ଚାଲିଛି। ଏନେଇ ବିଧାନସଭାରେ ଆଲୋଚନାରେ ଅଂଶଗ୍ରହଣ କରି ମତ ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହି ଅବସରରେ ସେ କହିଛନ୍ତି ଯେ, ଇତିହାସରେ କଣ ଘଟିଥିଲା ତାର ଉପସ୍ଥାପନା କରିବାରେ ଯେତିକି ଆବଶ୍ୟକତା ଅଛି ତାଠୁ କେଇଗୁଣ ଅଧିକ ଆବଶ୍ୟକତା ରହିଛି ଗାନ୍ଧି ବିଚାରକୁ ନେଇ। ଆମେ କେତେଦୂର ପାଳନ କରୁଛନ୍ତି ତାହାର ତର୍ଜମା କରିବା ଦରକାର ବୋଲି ଶ୍ରୀ ନାୟକ କହିଛନ୍ତି। ଗାନ୍ଧି ଜଣେ ବ୍ୟକ୍ତି ନୁହଁନ୍ତି ଗାନ୍ଧି ହେଉଛନ୍ତି ଏକ ବିଚାର। ଯଦି ଗାନ୍ଧିଙ୍କ ବିଚାର ସରକାରଙ୍କ ନୀତିରେ ପ୍ରତିଫଳିତ ହେବ ନାହିଁ, ତା ହେଲେ ଲୋକଙ୍କ ଆଗରେ ଏହା ମିଛ ନାଟକ ଭଳି ଲାଗିବ ବୋଲି ପ୍ରଦୀପ୍ତ କହିଛନ୍ତି। ମଦ, ଗୋରକ୍ଷା ନେଇ ଗାନ୍ଧିଙ୍କ ବିଚାର ସଂପର୍କରେ ମତ ରଖିଛନ୍ତି ପ୍ରଦୀପ୍ତ।

ସେ କହିଛନ୍ତି ଯେ, ଗାନ୍ଧିଜୀ ମଦକୁ ବିରୋଧ କରୁଥିବାବେଳେ ରାଜ୍ୟ ସରକାର ମଦରୁ ରାଜସ୍ୱ ଆୟ ଲାଗି ମଦ ବେପାରକୁ ପ୍ରୋତ୍ସାହନ ଦେଉଥିବା ସେ କହିଛନ୍ତି। ଓଡିଶା ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଗୋହତ୍ୟା ନିରୋଧ ଆଇନ ଆସିଥିଲା। ମାତ୍ର ବର୍ତମାନ ପରିସ୍ଥିତିରେ ସବୁଠାରୁ ଅଧିକ ଗୋଚାଲାଣ ଓଡିଶାରୁ ହିଁ ହେଉଛି ବୋଲି ପ୍ରଦୀପ୍ତ କହିଛନ୍ତି। ଗାନ୍ଧିଜୀଙ୍କର ଭାଷା ପ୍ରୀତି କଥା ଦୋହରାଇ ପ୍ରଦୀପ୍ତ କହିଛନ୍ତି ଯେ, ଓଡିଶାରେ ଓଡିଆ ଭାଷା ଅଣଦେଖା ହେଉଛି।

You might also like