ଭୁବନେଶ୍ୱର : ଗୁଜରାଟର ସୁରତରେ ରହୁଥିବା ୭ ଲକ୍ଷରୁ ଅଧିକ ଓଡ଼ିଆଙ୍କ ନିକଟତର ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ। ପ୍ରବାସୀ ଓଡ଼ିଆଙ୍କ ପାଇଁ ସୁରତରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଯୋଗ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ପ୍ରଥମ ଥର ସେଠାକୁ ଗସ୍ତ କରୁଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡିର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ସେଠାରେ ଡେରା ପକାଇଛନ୍ତି। ଚର୍ଚ୍ଚା ହେଉଛି, ଓଡ଼ିଶା ମହୋତ୍ସବ ଆଳରେ ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ଏହି କାର୍ଯ୍ୟକ୍ରମର ଅସଲ ଉଦ୍ଦେଶ୍ୟ। ସୁରତ ଓ ଆଖପାଖ ଅଞ୍ଚଳରେ ପ୍ରାୟ ୭ ଲକ୍ଷ ଓଡ଼ିଆ ରହୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର। ନିର୍ବାଚନ ପୂର୍ବରୁ ପ୍ରବାସୀ ଓଡ଼ିଆ ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ବିଜେଡିର ଏହା ଏକ ଚାଲ୍ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ।