ଆର୍ଥିକ ସ୍ୱାୟତ୍ତତା ଦାବି ପଛରେ କଣ ରହିଛି ରହସ୍ୟ ?

ଭୁବନେଶ୍ୱର: ଆର୍ଥିକ ସ୍ୱାୟତ୍ତତା ଦାବି ପଛରେ କ’ଣ ରହିଛି ଆଧାର ? କେତେ ରହିଛି ବାସ୍ତବତା ? ତାକୁ ନେଇ ଛିଡ଼ା ହୋଇଛି ବିତର୍କ। ଓଡିଶାକୁ ଆର୍ଥିକ ସ୍ୱାୟତ୍ତତା ଦେଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କିମ୍ବା ଆର୍ଥିକ ପ୍ୟାକେଜ୍ ଦରକାର ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ବିଜେଡି ପ୍ରତିଷ୍ଠା ଦିବସରେ କହିଥିଲେ। ଚର୍ଚ୍ଚା ହେଉଛି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୂରଣ ନହେବା ପରେ କେନ୍ଦ୍ର ବିରୋଧରେ ଆଭିମୁଖ୍ୟ କଠୋର କରିବା ପାଇଁ ଏହା ହେଉଛି ବିଜୁବାବୁଙ୍କ ପୁରୁଣା ପେଞ୍ଚର ନୂଆ ରୂପ। ସ୍ମରଣଯୋଗ୍ୟ, ଏକଦା ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର କେନ୍ଦ୍ର ବିରୋଧୀ ଅଭିଯାନକୁ କଠୋର କରିବାକୁ ଯାଇ ଦରକାର ପଡ଼ିଲେ ଓଡ଼ିଶା ଭାରତ ଠାରୁ ଅଲଗା ହେବାକୁ ପ୍ରସ୍ତୁତ ବୋଲି କହିବାକୁ ପଛାଇ ନଥିଲେ। ଏଭଳି ବକ୍ତବ୍ୟ ପାଇଁ ସେ ଦେଶବ୍ୟାପୀ ଘୋର ସମାଲୋଚନାର ଶରବ୍ୟ ହୋଇଥିଲେ ଓ ପରେ କଥା ବଦଳାଇଥିଲେ।

୯୦ ଦଶକରେ ବିଜୁବାବୁ ଉଠାଇଥିବା ଏହି ପ୍ରସଙ୍ଗକୁ ପୁଣି ଉଜାଗର କରିଛନ୍ତି ନବୀନ। ତେବେ ନିର୍ବାଚନ ପୂର୍ବରୁ ନବୀନ, ବିଜୁଙ୍କ ରାସ୍ତାରେ ଯିବାର କାରଣ କ’ଣ ? ଦୀର୍ଘଦିନ ହେଲା ବିଜେଡି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇ ଆସୁଥିଲେ ବି କେନ୍ଦ୍ରରେ ନିୟମ ବଦଳିଯିବାରୁ ଦାବି ପୂରଣ ହେବା ସମ୍ଭବ ନୁହେଁ। ସେହିପରି ରାଜ୍ୟକୁ ସ୍ୱତନ୍ତ୍ର କେନ୍ଦ୍ରୀୟ ପ୍ୟାକେଜ୍ ମଧ୍ୟ ମିଳିନାହିଁ। ତେଣୁ ନବୀନ ଆର୍ଥିକ ସ୍ୱାୟତ୍ତତା ପ୍ରସଙ୍ଗ ଉଠାଇ କେନ୍ଦ୍ର ଅବହେଳା ବିରୋଧରେ ପୁରୁଣା ପେଞ୍ଚକୁ ନେଇ ନୂଆ କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି।

ତେବେ ପ୍ରକୃତରେ ଏଥିରେ କିଛି ଆଧାର ରହିଛି ନା ଏହା କେବଳ ଏକ ପଲିଟିକାଲ୍ ଷ୍ଟଣ୍ଟ? କାରଣ ଆର୍ଥିକ ସ୍ୱାୟତ୍ତତା ସଂଘୀୟ ବ୍ୟବସ୍ଥାରେ ପରିଚାଳିତ ଆମ ଦେଶର କୌଣସି ରାଜ୍ୟକୁ ମିଳି ନଥିବାବେଳେ ଏଥିପାଇଁ ପାର୍ଲାମେଣ୍ଟରେ ବିଲ୍ ପାସ୍‌ଠୁ ଆରମ୍ଭ କରି ସମ୍ବିଧାନ ସଂଶୋଧନ କରିବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ। ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶାର ସମୃଦ୍ଧି ହେବ। ରାଜ୍ୟରୁ ଯାହା ରାଜସ୍ୱ ଆସିବ ତାହା ରାଜ୍ୟରେ ହିଁ ଖର୍ଚ୍ଚ ହେବ। ହେଲେ, ଏହା ଉପରେ ଅଙ୍କୁଶ ରହିବା ଆବଶ୍ୟକ, ନହେଲେ ଭ୍ରଷ୍ଟାଚାର ବଢ଼ିବ ବୋଲି ସମ୍ବିଧାନ ବିଶେଷଜ୍ଞ ପ୍ରଫେସର ଅମରେଶ୍ୱର ମିଶ୍ର କହିଛନ୍ତି।

ସେପଟେ ନବୀନ ଉଠାଇଥିବା ଆର୍ଥିକ ସ୍ୱାୟତ୍ତତା ଦାବିକୁ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି। ନବୀନ ଏହାକୁ ଦିବାସ୍ୱପ୍ନ ବୋଲି ଜାଣି ମଧ୍ୟ ରାଜନୈତିକ ମୁଦ୍ଦା କରୁଥିବା ବିଜେପି କହିଥିବା ବେଳେ ନବୀନ ସଂଘୀୟ ବ୍ୟବସ୍ଥା ଭୁଲିଗଲେ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ନିର୍ବାଚନ ବର୍ଷରେ ନବୀନ ନୂଆ ନୂଆ ପ୍ରସଙ୍ଗ ଆଣି ବିରୋଧୀଙ୍କୁ ଘେରିବାକୁ ଚାଲ୍ ଖେଳୁଛନ୍ତି।  ସଦ୍ୟତମ ଉଦାହରଣ ହେଉଛି, ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଆଉ ଏବେ ଓଡ଼ିଶାକୁ ଆର୍ଥିକ ସ୍ୱାୟତ୍ତତା ପ୍ରସଙ୍ଗ।

ତେବେ ଏହାଦ୍ୱାରା ଦଳକୁ କେତେ ଫାଇଦା ମିଲିବ ତାହା ମଧ୍ୟ ଏକ ପ୍ରଶ୍ନବାଚୀ। କାରଣ ଦୀର୍ଘଦିନ ହେବ ନବୀନ ପଟ୍ଟନାୟକ ଦାବି କରି ଆସିଥିବା ସ୍ୱତନ୍ତ୍ର ରାଜ୍ୟପାହ୍ୟା କ’ଣ ଅଧିକାଂଶ ଓଡ଼ିଆଙ୍କୁ ଜଣାନାହିଁ। ଏହି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲେ ରାଜ୍ୟର କି ଲାଭ ହେବ, ତାହା ମଧ୍ୟ ବହୁ ଲୋକଙ୍କୁ ଜଣାନାହିଁ। ଏପରି ସ୍ଥିତିରେ ଆର୍ଥିକ ସ୍ୱାୟତ୍ତତା କ’ଣ ଓ ଏହା ଲୋକଙ୍କ କ’ଣ କାମରେ ଆସିବ ତାହା ପ୍ରଥମେ ରାଜ୍ୟର ପ୍ରତିଟି ନାଗରିକଙ୍କୁ ବିଜେଡି ଜଣାଇବା ଆବଶ୍ୟକ।

You might also like