ଭୋଟରଙ୍କ ମନ ଜିଣିବା ଲାଗି ନବୀନ ସରକାରଙ୍କ ଯୋଜନା ବର୍ଷା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମନାଇବା ପାଇଁ ଜୋର୍‌ଦାର୍‌ ପ୍ରୟାସ ଚଳାଇଛି ବିଜେଡି ସରକାର। ଖାସ୍ ସେଥିପାଇଁ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି।

ଶନିବାର ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତ୍ତା ବାବଦକୁ ୨ଶହ ଟଙ୍କା ବଢ଼ାଇଛନ୍ତି ରାଜ୍ୟ ସରକାର। କେବଳ ଭତ୍ତା ବୃଦ୍ଧି ନୁହେଁ ଗତ କିଛି ମାସ ଭିତରେ ଡଜନେରୁ ଅଧିକ ସ୍କିମ୍‌ ଘୋଷଣା କରିଛନ୍ତି ନବୀନ।

ଚାଷୀଙ୍କ ପାଇଁ କାଳିଆ ଯୋଜନା, ଆମ ଗାଁ ଆମ ବିକାଶ , ଯୁବଗୋଷ୍ଠୀ ପାଇଁ ବିଜୁ ଯୁବ ବାହିନୀ, ମାଗଣା ସ୍ୱାସ୍ଥ୍ୟସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଚାଷୀଙ୍କୁ ମୋବାଇଲ୍, ସ୍ୱୟଂ ସହାୟକ ଗୋଷ୍ଠୀକୁ ସିଡ୍‌ ମନି ଓ ମୋବାଇଲ୍, ନିର୍ମାଣ ଶ୍ରମିକଙ୍କୁ ସୁବିଧା, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ଆମ ଘର ଏଲ୍ଇଡି, ରାତିରେ ଆହାର ଯୋଜନା, ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, ଏମିତି ଅନେକ ସ୍କିମ୍ ଲାଗୁ କରି ସବୁ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ୟମ ହୋଇଛି।

ତା’ ଛଡ଼ା ହକି ବିଶ୍ୱକପ୍‌ର ଭବ୍ୟ ଆୟୋଜନ ଓ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ମାଧ୍ୟମରେ ନିଜ ଇମେଜ୍ ବଢ଼ାଇବାକୁ ଚେଷ୍ଟା କରିଛନ୍ତି ନବୀନ। ଅନ୍ୟପଟେ ନିର୍ବାଚନ ବର୍ଷରେ ଏଭଳି ମନଇଛା ସ୍କିମ୍ କରି ଟଙ୍କା ବାଣ୍ଟିବାକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ।

ଆଇନଗତ ଭାବେ ସରକାର ଲାଞ୍ଚ ଦେଉଥିବା କଂଗ୍ରେସ କହିଥିବା ବେଳେ ବିଜେପି କହିଛି ଦଳୀୟ କର୍ମୀଙ୍କ ପେଟପାଟଣା ପାଇଁ ଏସବୁ ବ୍ୟବସ୍ଥା କରାଯାଉଛି।

ପ୍ରଶ୍ନ ଉଠୁଛି, ନିର୍ବାଚନ ବର୍ଷରେ ଏତେ ସବୁ ସ୍କିମ୍ କାହିଁକି?

ଅନ୍ୟ ନିର୍ବାଚନ ଅପେକ୍ଷା ଏଥର ବ୍ୟାକଫୁଟ୍‌ରେ ଅଛି କି ବିଜେଡି?

ଦଳକୁ ଭୋଟ୍‌ ବ୍ୟାଙ୍କ ହ୍ରାସର ଚିନ୍ତା ଘାରିଛି କି?

ସରକାର ବିରୋଧୀ ହାଓ୍ୱାକୁ କାଉଣ୍ଟର ପାଇଁ ଏସବୁ ଯୋଜନା ନୁହେଁ ତ?

କିନ୍ତୁ ବିଜେଡି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛ। ଲୋକଙ୍କ ହିତ ପାଇଁ ଏସବୁ ଯୋଜନା କରାଯାଉଛି ବୋଲି କହିଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ।

ଗୋଟିଏ ପଟେ ସରକାର ବିରୋଧୀ ହାଓ୍ୱା, ଅନ୍ୟପଟେ ଦଳରେ ଅସନ୍ତୋଷ ବଢୁଛି। ଅନ୍ୟପଟେ ବିରୋଧୀଙ୍କ ଘନ ଘନ ଆକ୍ରମଣ ଆଉ ଏସବୁକୁ କାଉଣ୍ଟର କରିବାକୁ ରାଜ୍ୟ ସରକାର ଆଣୁଛନ୍ତି ଗୋଟିଏ ପରେ ଗୋଟିଏ ଲୋଭନୀୟ ସ୍କିମ୍। ଏହା ଭୋଟରକୁ କେତେଦୂର ଆକୃଷ୍ଟ କରିପାରୁଛି ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ।

You might also like