ମନ୍ତ୍ରୀ ଦେଲେ ସମ୍ପତ୍ତି ତାଲିକା, ଭଉଣୀ ଠାରୁ ଧାର ଆଣିଥିଲେ ନବୀନ

ଭୁବନେଶ୍ୱର: ୨୦୧୯-୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଢ଼ିଛି ୭୧ଲକ୍ଷ ଟଙ୍କାର ସମ୍ପତ୍ତି ଅର୍ଥାତ୍ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ନବୀନଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୬୪ କୋଟି ୯୮ଲକ୍ଷ ୧୯ହଜାର ୮୬୩ ଟଙ୍କା। ଯେଉଁଥିରୁ କେବଳ ସ୍ଥାବର ସମ୍ପତ୍ତି ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧ ଟଙ୍କାର। ସେହିପରି ନବୀନ ନିଜ ପାଖରେ ରଖିଛନ୍ତି ୨ଲକ୍ଷ ୮୯ହଜାର ୫୮୭ ଟଙ୍କାର ସୁନାଗହଣା। ଏହାବାଦ୍ ୧୯୮୦ ମଡେଲର ଏକ ଆମ୍ବାସାଡର କାର୍ ତାଙ୍କର ଅଛି, ଯାହାର ଆନୁମାନିକ ମୂଲ୍ୟ ୮ହଜାର ୯୦୫ ଟଙ୍କା। ସ୍ଥାବର ସଂପତ୍ତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ଜମି ସହ କୋଠା ରହିଛି, ତାମଧ୍ୟରୁ କେବଳ ଫରିଦାବାଦ ତିକ୍ରିକେରା ଜମି ଓ କୋଠାର ମୂଲ୍ୟ ୧୦ କୋଟି ୭୫ଲକ୍ଷ ୫୧ହଜାର ୭୧ ଟଙ୍କା। ଏହାକୁ ବିକ୍ରି ଲାଗି ଅଗ୍ରୀମ ଆକାରରେ ନବୀନ ଆଣିଛନ୍ତି ୧କୋଟି ୨୫ ଲକ୍ଷ ଟଙ୍କା।

ସେହିପରି ନବୀନ ନିବାସରେ ତାଙ୍କର ଦୁଇ ତୃତୀୟାଂଶ ଏବଂ ନୂଆଦିଲ୍ଲୀରେ ଥିବା ସମ୍ପତ୍ତିର ୫୦ ପ୍ରତିଶତ ସେୟାର ବି ରହିଛି। ଅନ୍ୟପକ୍ଷରେ ପୂର୍ବରୁ ୨୦୧୫ରେ ଭଉଣୀ ଗୀତା ମେହେଟାଙ୍କଠାରୁ ଧାର ସୂତ୍ରରେ ଆଣିଥିବା ୧୫ ଲକ୍ଷ ଟଙ୍କା ସୁଝି ଦେଇଛନ୍ତି। ନବୀନ ସିଏମ୍ଓ ୱେବ ସାଇଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ବାବଦରେ ଆହୁରି ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି।

ମୁଖ୍ୟମନ୍ତ୍ରୀ ନବୀନଙ୍କ ଭଳି ତାଙ୍କ ମନ୍ତ୍ରିମଣ୍ଡଳର ୨୦ ଜଣ ସଦସ୍ୟ ବି ଦେଇଛନ୍ତି ସେମାନଙ୍କ ସଂପତ୍ତି ତାଲିକା। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମ୍ପତ୍ତି ତାଲିକା ଆଖି ତରାଟିଲା ଭଳି। ଗତ ୨ ବର୍ଷରେ ସେ ୮୦ଟି ଗାଡ଼ି କିଣିଥିବା ଦର୍ଶାଇଛନ୍ତି ଯାହା ଭିତରେ ଅଛି ପ୍ରାୟ ୨ କୋଟି ଟଙ୍କାର ସୌଖୀନ ମର୍ସିଡିଜ କାର୍ ସାଙ୍ଗକୁ ଟ୍ରକ୍ ଓ ଅନ୍ୟ ବାଣିଜ୍ୟିକ ଗାଡ଼ି। ତାସହ ନବଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ବି ରହିଛି।

ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ବର୍ଷକରେ ୪୨ଲକ୍ଷ ଟଙ୍କା ବଢ଼ିଛି। ମନ୍ତ୍ରୀ ପ୍ରତାପ ଜେନା ନିଜ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୧୦ କୋଟି ୩୫ଲକ୍ଷ ଟଙ୍କାର ବୋଲି ଦର୍ଶାଇଛନ୍ତି। ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କର ୮ କୋଟି ଏବଂ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ନିଜ ପାଖରେ ୭କୋଟି ଟଙ୍କାର ସମ୍ପତ୍ତି ରଖିଥିବା ଦର୍ଶାଇଛନ୍ତି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କ ସଂପତ୍ତିର ପରିମାଣ ୪ କୋଟି ୭୮ ଲକ୍ଷ ୪୭ ହଜାର ଟଙ୍କା ଦର୍ଶାଇଥିବାବେଳେ ସୁଦାମ ମାର୍ଣ୍ଡିଙ୍କ ସଂପତ୍ତିର ମୂଲ୍ୟ ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା ଉଲ୍ଲେଖ ରହିଛି।

ମୋର ନିଜର ସମ୍ପତ୍ତି ବଢିନଥିବ। ମୋ ପରିବାର ସହ ଜଡ଼ିତ ଥିବା ବ୍ୟବସାୟୀମାନେ ସେମାନେ ତାଙ୍କର ଲାଭ ପାଇଁ କିଣିଥିବେ।
-ନବ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ

ସେପଟେ ନବୀନ ଓ ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପତ୍ତି ତାଲିକା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଗତ ୧୦ ବର୍ଷର ସମ୍ପତ୍ତି ତାଲିକା ସହ ଆୟର ଉତ୍ସ ନେଇ ତଥ୍ୟ ମାଗିଛି ବିଜେପି। କଂଗ୍ରେସ ମଧ୍ୟ କହିଛି, ସରପଞ୍ଚଙ୍କ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ସମ୍ପତ୍ତିର ସଠିକ୍ ତଥ୍ୟ ଦେଇନାହାଁନ୍ତି ଯାହାର ଜବାବ ରଖିଛି ବିଜେଡି।

ପ୍ରଥମେ ୧୦ ବର୍ଷର ସମ୍ପତ୍ତି ତାଲିକା ଦିଅ। ଦ୍ୱିତୀୟରେ ସମସ୍ତଙ୍କ ରୋଜଗାରର ଉତ୍ସ କଣ ତାହା ବି ଉଲ୍ଲେଖ କରାଯାଉ। ଏହି ୨ଟି କତା ଦେଖାଇଲେ ଆମେ ଜାଣିବୁ ଯେ ଭ୍ରଷ୍ଟାଚାର ହେଉନି। ଯଦି ଏହା ନଦେଖାଇବ ଏହାର ଅର୍ଥ ହେଲା ଯେ ବେଆଇନ୍ ଭାବେ ସମ୍ପତ୍ତି ଅଧିକାର କରିଛ। ଲୋକଦେଖାଣିଆ ଭାବେ ଖଣ୍ଡେ ଖଣ୍ଡେ କାଗଜ ଦେଖାଇଛ।
-ପୃଥ୍ୱୀରାଜ ହରିଚନ୍ଦନ, ସାଧାରଣ ସମ୍ପାଦକ, ବିଜେପି
ଏହି ସମ୍ପତ୍ତି ତାଲିକା ପବନର ଗାର। ଯାହାର ଯେତିକି ସମ୍ପତ୍ତି ଅଛି, ତାର ଟିକିଏ ଅଂଶ ବି ଦିଆଯାଇ ନାହିଁ।
-ସୁରେଶ ରାଉତରାୟ, କଂଗ୍ରେସ ବିଧାୟକ
ଯାହାର ଯେତିକି ସମ୍ପତ୍ତି ରହିଛି, ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳକୁ ଆମର କର୍ତ୍ତବ୍ୟ। ଆମେ ଆଗରୁ ଦେଇଛୁ, ଏବେବି ଦେଉଛି। ଏଥିରେ ସ୍ୱଚ୍ଛତା ରହିଛି।
-ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀ

ସଂପତ୍ତି ତାଲିକା ହିସାବରେ ମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଗରିବ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା। ତାଙ୍କ ପାଖରେ ଅଛି ମାତ୍ର ୩୨ ଲକ୍ଷ ଟଙ୍କାର ସମ୍ପତ୍ତି। ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁ ସମ୍ପତ୍ତିର ମୂଲ୍ୟ ୮୯ ଲକ୍ଷ ୯୩ ହଜାର ଟଙ୍କା ଥିବାବେଳେ ସେ ତାଙ୍କ ଝିଅଙ୍କ ନାଁରେ ସୁକନ୍ୟା ସମୃଦ୍ଧି ଯୋଜନାରେ ବାନ୍ଧୁଛନ୍ତି ଟଙ୍କା। ଆଉ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଖରେ ୧୫ ହଜାର ଟଙ୍କାର ଜିପ୍ ଥିବାବେଳେ ତାଙ୍କ ସ୍ତ୍ରୀ କିନ୍ତୁ ଚଢୁଛନ୍ତି ୪ଲକ୍ଷ ଟଙ୍କାର କାର।

ଝାରସୁଗୁଡ଼ାରୁ ଭାଗୀରଥି ସାହୁଙ୍କ ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଓ ହରିହର ଚାନ୍ଦଙ୍କ ରିପୋର୍ଟ

You might also like