ପ୍ରକୃତି ପ୍ରେମୀ ପ୍ରାଶାସନିକ ଅଧିକାରୀ, ବୃକ୍ଷରୋପଣକୁ ଦେଉଛନ୍ତି ଗୁରୁତ୍ୱ

ନିଆରା ବିଡ଼ିଓ ଉମାକାନ୍ତ

ଯାଜପୁର(ଗୁଲାମ ଗସ): ଏମିତି ବି ବିଡିଓ ଅଛନ୍ତି, ଯିଏ ଗଛ ଲଗାଇବାକୁ ଭଲ ପାଉଛନ୍ତି । ସରକାରଙ୍କ ଯୋଜନା ଜରିଆରେ ବିଭିନ୍ନ ସ୍ଥାନରେ ପାର୍କ ତିଆରି କରିବାକୁ ଭଲ ପାଆନ୍ତି। ନିଜ ଅଫିସ ପରିସରରେ ଏକ ପାର୍କ ତିଆରି ବି କରିଛନ୍ତି। ଆଉ ସେହି ପାର୍କରେ ନିଜେ ଗଛରେ ପାଣି ଦେଇ ଆନନ୍ଦ ପାଆନ୍ତି । ଏମିତି ଏକ ବିଡ଼ିଓ ହେଉଛନ୍ତି ଉମାକାନ୍ତ ପରିଡ଼ା।

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ବିଡିଓ ଭାବରେ ଏବେ କାର୍ଯ୍ୟରତ ଅଛନ୍ତି ଉମାକାନ୍ତ ପରିଡ଼ା। ଗଛ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା। ନିଜର କର୍ମମୟ ଜୀବନରୁ ସମୟ ବାହାର କରି ସେ ବଗିଚା ସୃଷ୍ଟି କରିବାରେ ନିଜକୁ ବ୍ୟସ୍ତ ରଖିଛନ୍ତି। କେବଳ ଗଛ ଲଗାଉଛନ୍ତି ତାହା ନୁହେଁ ବରଂ ତାର ଯତ୍ନ ନେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବ୍ଲକ ଅଫିସ ପରିସରରେ ପାର୍କ ପ୍ରତିଷ୍ଠା କରି ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାଇଛନ୍ତି ଯାହାକୁ ଦେଖିଲେ ଖୁସିରେ ଆପଣଙ୍କ ପେଟ ପୂରିଯିବ। ସେ ଏହି ସୁନ୍ଦର ବଗିଚା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

କେବଳ ସେତିକି ନୁହେଁ ତାଙ୍କ ଉଦ୍ୟମରେ ରସୁଲପୁର ବ୍ଲକରେ ଥିବା ୨୮ଗୋଟି ପଂଚାୟତରେ ସେ ପ୍ଲାଣ୍ଟେସନ ପ୍ରୋଗ୍ରାମ କରିପାରିଛନ୍ତି। ଏଥିସହ ବ୍ଲକର ଦନେଇପୁର, ଆଦମପୁର, ଲକ୍ଷ୍ମୀନଗର, ମୁଗପାଳ ଭଳି ସ୍ଥାନରେ ଗ୍ରାମୀଣ ପାର୍କ ପ୍ରତିଷ୍ଠା କରିପାରିଛନ୍ତି । ପ୍ରତ୍ୟେହ ବ୍ଲକକୁ ଆସି ନିଜର ଦାୟିତ୍ୱ ସଂପାଦନ କରନ୍ତି ଉମାକାନ୍ତ। ପାର୍କରେ ଲାଗିଥିବା ଗଛ ଗୁଡିକରେ ପାଣି ଦେବା ସହ ତାର ଦେଖାରଖା ମଧ୍ୟ କରିଥାନ୍ତି ।

ବର୍ଷ ରସୁଲପୁର ବ୍ଲକରେ ପାଖାପାଖି ୫ଶହ ଏକରରୁ ଅଧିକ ଜାଗାରେ ପ୍ଲାଂଟେସନ ହୋଇପାରିଛି । ଅବ୍ୟବହୃତ ହୋଇ ପଡିରହିଥିବା ସ୍ଥାନ ମାନଙ୍କରେ ବିଭିନ୍ନ ଫୁଲ, ଫଳ ଏବଂ ନଡିଆ ଗଛ ଲଗାଯାଇଛି । ବିଶେଷ କରି କରୋନା ମହାମାରୀ ସମୟରେ ଅଂଚଳକୁ ଫେରିଥିବା ଶ୍ରମିକମାନଙ୍କୁ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କର୍ମସଂସ୍ଥାନ ଯୋଗାଇ ପାରିଛନ୍ତି । ସରକାରୀ ଯୋଜନାର ସଫଳ ରୂପାୟନ ହେବା ସହ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାରେ ସହାୟକ ହୋଇପାରିଛନ୍ତି । ବିଭିନ୍ନ ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଗ୍ରାମୀଣ ପାର୍କର ସୈାନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ସ୍ଥାନୀୟ ଲୋକେ ।

ସରକାରୀ କାର୍ଯ୍ୟରେ ଯେତେ ବ୍ୟସ୍ତ ଥିଲେ ବି ସେ ସମୟ ବାହାର କରି ବଗିଚାରେ ପାଣିଦିଅନ୍ତି ଓ ସେମାନଙ୍କର ଜଗାରଖା ମଧ୍ୟ କରନ୍ତି। ଗଛ ଓ ବଗିଚାକୁ ଭଲ ପାଉଥିବା ଜଣେ ନିଆରା ଅଫିସର ହେଉଛନ୍ତି ଉମାକାନ୍ତ ପରିଡା। ସେ ପ୍ରକୃତିକୁ ଭଲ ପାଇବା ଶିଖିଛନ୍ତି ତେଣୁ ତାଙ୍କର ଏହି  କାମ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ପାଉଛନ୍ତି ଢେର୍ ସାରା ପ୍ରଂଶସା ।

You might also like