ଜାତୀୟ ସ୍ତରୀୟ ଫୁଟବଲ ଖେଳାଳି ଏବେ ପେଟ୍ରୋଲ ପମ୍ପ କର୍ମଚାରୀ

କଲବଲ କରୁଛି କରୋନା

ବୀରମିତ୍ରପୁର(ରାକେଶ ସାହୁ): ଜାତୀୟ ସ୍ତରୀୟ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ବହୁ ଗୁଡିଏ ଯୋଜନା ରହିଛି l ତେବେ ସେ ଯୋଜନା ପ୍ରକୃତ ରେ କାର୍ଯ୍ୟକାରୀ ହୋଇପାରୁ ନାହିଁ l ବହୁତ ଗୁଡିଏ ଖେଳାଳି ଏ ଯୋଜନାରୁ ବାଦ ପଡୁଛନ୍ତି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳରେ।

ସୁନ୍ଦରଗଡ଼ ଜିଲ୍ଲା  ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏ ଜିଲ୍ଲାରେ ଖେଳାଳିଙ୍କ ଅଭାବ ନାହିଁ । ହକି, ଫୁଟବଲ ଭଲି ସମସ୍ତ ପ୍ରକାର ପ୍ରତିଭାଶାଳୀ ଖେଳାଳି ଏ ସୁନ୍ଦରଗଡ଼ ଜିଲ୍ଲାରେ ଭରି ରହିଛନ୍ତି I ତେବେ ଆମେ କହୁଛୁ ସେହି ଭଳି ଏକ ପ୍ରତିଭାଶାଳୀ ଜାତୀୟ ସ୍ତରୀୟା ମହିଳା ଫୁଟବଲ ଖେଳାଳି ଗୁଡ୍ଡି ତିର୍କୀଙ୍କ କଥା l ଗୁଡ୍ଡି ତିର୍କୀ ବସବାସ କରନ୍ତି ବୀରମିତ୍ରପୁର ପୌରାଞ୍ଚଳ ସ୍ଥିତ ହଳଦିଆ ଦଫେଇରେ l ଯେ କି ୨୦୧୬ ମସିହାରେ ମଧ୍ୟ ପ୍ରଦେଶ ସ୍ଥିତ ଜବଲପୁରରେ ଖେଳା ଯାଉଥିବା ସର୍ବ ଭାରତୀୟ ଫୁଟବଲ ଚାମ୍ପିୟନସିପ୍‌ରେ ଭାଗ ନେଇ ତୃତୀୟ ସ୍ଥାନ ହାସଲ କରି ଓଡିଶାର ନାଁ ଭାରତରେ ପରିଚିତ କରିଥିଲେ l ଆଖିରେ ସ୍ଵପ୍ନ ଥିଲା ଫୁଟବଲ ଖେଳାଳି ହୋଇ ନିଜ ଅଞ୍ଚଳ , ଜିଲ୍ଲା ସମେତ ଓଡିଶାର ନାଁ ଭାରତରେ ପରିଚିତ କରିବେ ବୋଲି।

କିନ୍ତୁ ସମୟ ଚକ୍ରରେ ପଡି ଆଜି ସେ ପେଟ୍ରୋଲ ପମ୍ପ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି l ତାଙ୍କର ଅଧୁରା ସ୍ଵପ୍ନକୁ ପୂରା କରିବାକୁ ସରକାରୀ ସ୍ତରରେ କୈ।ଣସି ତାଲିମ କି ଆର୍ଥିକ ସହାୟତା ପାଇ ନ ଥିଲେ ଗୁଡ୍ଡିଙ୍କୁ । ଡିଜିଙ୍କ କାର୍ଯ୍ୟାଳୟରୁ ବି ଅଥବା ସି ଗ୍ରେଡରେ ନିଯୁକ୍ତି ସକାଶେ ଏକ ପତ୍ର ଆସିଥିଲା ଏବଂ ଉକ୍ତ ପତ୍ରରେ ତାଙ୍କର ସମସ୍ତ କାଗଜପତ୍ର ଯାଞ୍ଚ ସକାଶେ ଲିଖିତ ଥିଲା । ଏହି ସବୁ ଜାଣି ସେ ସମସ୍ତ କାଗଜପତ୍ର ନେଇ କଟକ ସ୍ଥିତ ପୋଲିଶ ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟରେ ସମସ୍ତ କାଗଜପତ୍ର ଯାଞ୍ଚ କରାଇବା ପରେ କୌଣସି ଫଳାଫଳ ବାହାରି ନଥିବାରୁ ସେ ବ୍ୟତିବ୍ୟସ୍ତ ହେଉଛନ୍ତି । ତେବେ ସେ ଜଣେ ମେଧାବୀ ଖେଳାଳୀ ହୋଇଥିବା ସତ୍ୱେ ତାଙ୍କର ସବୁ ଆଶା ଧୂଳି ସାତ ହୋଇଥିଲା । ସେ ଗୋଟିଏ ନିହାତି ଗରୀବ ପରିବାରର ଝିଅ । ବାପା ଗୋଟିଏ ଛୋଟିଆ ଦୋକାନ ଟିଏ କରି ପରିବାରର ଭରଣପୋଷଣ କରନ୍ତି ।

ତେବେ ଅର୍ଥାଭାବ ହିଁ ସବୁ ଅନର୍ଥର କାରଣ ସାଜି ଥିବାରୁ ଏବଂ ସରକାରୀ କଳର ଅସହଯୋଗ ପାଇଁ ଆଜି ଜାତୀୟ ସ୍ତରୀୟା ଜନୈକା ମହିଳା ମେଧାବୀ ଖେଳାଳୀ ଆନ୍ତର୍ଜାତିୟ ସ୍ଥରକୁ ଯାଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିବା ପରିବର୍ତ୍ତେ ପେଟ୍ରୋଲ ପମ୍ପ କର୍ମଚାରୀ ଭାବେ ନିଜର ଓ ପରିବାରର ପେଟ ପାଟଣା ସକାଶେ କାର୍ଯ୍ୟରତ ଥିବା ପରିଲକ୍ଷିତ ହୋଇଛି । ଏହି ମହିଳା ଫୁଟବଲ ଖେଳାଳିଙ୍କ ପ୍ରତି ସରକାରୀ ଖେଳ ବିଭାଗ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିଲେ ହୁଏତ ଆଗାମୀ ଦିନରେ ସେ ନିଜର ସ୍ଵପ୍ନ ସାକାର କରିପାରନ୍ତେ ।  ଦେଖିବାକୁ ବାକି ରହିଲା କେବେ ସରକାରୀ କଳ ଓ ପ୍ରଶାସନ ଏହି ମହିଳା ଫୁଟବଲ ଖେଳାଳିଙ୍କ ପ୍ରତି ସହାୟ ହେଉଛନ୍ତି ।

You might also like