ଭୁବନେଶ୍ୱର: ଦୁର୍ବୃତ୍ତଙ୍କ କବଳରୁ ନିଜକୁ ରକ୍ଷା କରି ଘରକୁ ଫେରିଲେ ୧୧ ବର୍ଷର ଛାତ୍ର। ରାଜଧାନୀ ଭୁବନେଶ୍ୱରରେ ଜଣେ ଛାତ୍ରଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ହୋଲି ପର ଦିନ ଇନଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତିବିହାର ଅଞ୍ଚଳରୁ ଜଣେ ଛାତ୍ରଙ୍କୁ କିଛି ଦୁର୍ବୃତ୍ତ ଠିକଣା ପଚାରିବା ବାହାନାରେ କାର୍ରେ ଉଠାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଛାତ୍ରଙ୍କୁ କାର୍ରେ ନେଇ ତ୍ରିଶୁଳିଆ ପୂର୍ବରୁ ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଏହାପରେ ଛାତ୍ର ଜଣକ ଦୌଡ଼ି ଦୌଡ଼ି ନନ୍ଦନକାନନ ଛକ ପର୍ଯ୍ୟନ୍ତ ଆସିି ସେଠାରେ ଜଣଙ୍କ ଫୋନ୍ରୁ ବାପାଙ୍କ ନିକଟକୁ ଫୋନ କରିଥିଲେ ଓ ଏହାପରେ ସେ ଘରକୁ ଫେରିଥିଲେ। ସମ୍ପୃକ୍ତ ଛାତ୍ରଙ୍କୁ ଅପହରଣ ଉଦ୍ୟମ ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଥିବା ଜଣାପଡ଼ିଛି।
ଛାତ୍ର ଜଣକ ନିଖୋଜ ହେବାର କିଛି ଘଣ୍ଟା ପରେ ଇନଫୋସିଟି ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ କିଏ ଓ କାହିଁକି ଛାତ୍ରଙ୍କୁ କାର୍ରେ ଉଠାଇନେଲେ ଏବଂ ପରେ ତାଙ୍କୁ ଛାଡ଼ି ଦେଲେ, ତାହା ଜଣାପଡ଼ି ନାହିଁ। ପୋଲିସ୍ ଘଟଣାର ଖୋଳତାଡ଼ କରୁଛି। ଏକ ବ୍ଲୁ କାର୍ରେ ୩ ଜଣ ଥିଲେ ଓ ସେମାନେ ଓଡ଼ିଆ ଭାଷାରେ କଥା ହେଉଥିଲେ ବୋଲି ଛାତ୍ର ଜଣକ କହିଛନ୍ତି।
ପୋଲିସ୍ ନିକଟରେ ଆମେ ଯେତେବେଳେ ଅଭିଯୋଗ କରିଥିଲୁ, ପିଲା ରାଗିକି କେଉଁଆଡ଼େ ପଳାଇ ଥିବ ବୋଲି ପୋଲିସ୍ ଆମକୁ କହିଥିଲେ। ଏତେ ଛୋଟ ଛୁଆ ରାଗିକି ଏତେ ବାଟ କେଉଁଆଡ଼େ ଯିବ ବୋଲି ଆମେ ଭାବିଥିଲୁ। ପୋଲିସ୍କୁ ଆମେ କାର୍ର ସିସିଟିଭି ଫୁଟେଜ ଦେଇଛୁ।
-ଛାତ୍ରଙ୍କ ମା’
ବାହାରେ ଛିଡ଼ା ହୋଇଥିବା ବେଳେ ଜଣେ ଲୋକ ମୋତେ ଡାକିଲେ। ତାଙ୍କ ପାଖକୁ ଗଲା ପରେ ସେ ମୋତେ ନାଁ, କେଉଁ କ୍ଲାସ୍ରେ ପଢ଼ୁଛ ଓ କେଉଁଠି ଘର ପଚାରିଥିଲେ। ମୁଁ ଏସବୁ କହି ସାରିବା ପରେ ସେ ମୋତେ ଏକ କାର୍ରେ ନେଇ ଯାଇଥିଲେ। ବାରଙ୍ଗ ଆଗକୁ ମୋତେ ଗାଡ଼ିରୁ ବାହାରକୁ ଫିଙ୍ଗି ଦେଇଥିଲେ। ଏହାପରେ ମୁଁ ଦୌଡ଼ି ଦୌଡ଼ି ନନ୍ଦନକାନନ ପର୍ଯ୍ୟନ୍ତ ଆସିବା ପରେ ଏକ ଫଳ ଦୋକାନରେ ପହଞ୍ଚି ସେଠାରେ ବାପାଙ୍କୁ ଫୋନ୍ କରିଥିଲି। ଏହାପରେ ବାପା ଆସି ମୋତେ ଘରକୁ ନେଇଥିଲେ।
-ଉଦ୍ଧାର ଛାତ୍ର